ଦୈନିକ ମୃତ୍ୟୁ ସଂଖ୍ୟା ୩ ଶହ ତଳେ…

ନୂଆଦିଲ୍ଲୀ,୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତ ତଥା ମୃତ୍ୟୁ ସଂଖ୍ୟା ଅଧିକ ହେଉଛି। ଏନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେରଳରେ ଗତ ୨୪ ଘଣ୍ଟାରେ ୨୬,୭୦୧ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୭୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାର ୯୪୮ ରେ ପହଞ୍ଚିଛି। ତେବେ ମୃତ୍ୟୁ ସଂଖ୍ୟା ୩ ଶହ ତଳେ ରହିଛି। ଏହି ସମୟ ମଧ୍ୟରେ କରୋନାରେ ୨୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୩ ହଜାର ୯୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୪୨ ପ୍ରତିଶତ ରହିଛି। ଅପରପକ୍ଷରେ ୪ ଲକ୍ଷ ୪ ହଜାର ୮୭୪ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୨୩ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୦ ହଜାର ୭୫୨ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି।

ବର୍ତ୍ତମାନ ସୁଦ୍ଧା ୬୮ କୋଟି ୭୫ ଲକ୍ଷ ୪୧ ହଜାର ୭୬୨ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୨୫ ଲକ୍ଷ ୨୩ ହଜାରରୁ ଅଧିକ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୩ କୋଟି ୧୪ ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୧୦ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୧ ଲକ୍ଷ ୮୧ ହଜାର ୯୯୫ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୦ ଲକ୍ଷ ୨୭ ହଜାର ୬୨୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Share