ସରିଲା ନୂଆଁଖାଇ, ଗାଁ ଗାଁରେ ଦାଦନ ସର୍ଦ୍ଦାର

ଖଡ଼ିଆଳ,୩୦।୯(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ଅଞ୍ଚଳରେ ବେସ ଉତ୍ସାହର ସହ ଲୋକେ ଗଣପର୍ବ ନୂଆଁଖାଇ ପାଳନ କରିଛନ୍ତି। ନୂଆଁଖାଇ ସରିବା ପରେ ଦାଦନ ସର୍ଦ୍ଦାର ଗାଁ ଗାଁରେ ଏଜେଣ୍ଟ ରଖି ମୁଣ୍ଡ ପିଛା ୨୦ରୁ ୩୦ ହଜାର ଟଙ୍କା ଅଗ୍ରିମ ଦେଇ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ନେବା ପ୍ରସ୍ତୁତି ଆରମ୍ଭ କରି ଦେଇଛି। ରାଜ୍ୟ ବାହାରୁ ଖଡିଆଳକୁ ଆସି ଦାଦନ ସର୍ଦ୍ଦାର କିଛି ସ୍ଥାନରେ ଢ଼େରା ବାନ୍ଧି ଅଞ୍ଚଳରେ ନିର୍ଭୟରେ ବେପାର ଜମାଇ ମୁଣ୍ଡପ୍ରତି ଏଜେଣ୍ଟର କମିଶନ ସ୍ଥିର କରୁଛି।

ଅଗ୍ରିମ ଅଧିକ ମାତ୍ରାରେ ଟଙ୍କା ପାଇ ଶ୍ରମିକ ନୂଆଁଖାଇ ପରେ ରାଜ୍ୟ ବାହାରକୁ ଯିବା ପାଇଁ ନିଜ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲାରୁ ପ୍ରାୟ ହଜାର ହଜାର ସଂଖ୍ୟାରେ ଦାଦନ ଖଟିବାକୁ ଲୋକେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ମହାରାଷ୍ଟ୍ର ଆଦିକୁ ଯାଉଥିଲେ ମଧ୍ୟ ତାହାର ଠିକ ହିସାବ ଜିଲା ଶ୍ରମ ବିଭାଗ ପାଖରେ ରହୁନାହିଁ। ବାହାରକୁ ଦାଦନ ଖଟି ଯାଉଥିବା ଶ୍ରମିକମାନେ ପଞ୍ଚାୟତରେ ନିଜର ନାମ ପଞ୍ଜୀକରଣ କରିବା ନିୟମ ରହିଛି। ମାତ୍ର ଜିଲାରେ ସଚେତନତା ଅଭାବ ଯୋଗୁ ପଞ୍ଚାୟତକୁ ଶ୍ରମିକମାନେ ନାମ ପଞ୍ଜୀକରଣ କରୁନାହାନ୍ତି। ଫଳରେ ଜିଲାରୁ ପ୍ରତ୍ୟେକ ବର୍ଷ କେତେ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି ତାହାର ଠିକ ହିସାବ ରହୁନାହିଁ।

ଏ ନେଇ ଆବଶ୍ୟକ ସଚେତନତା କାର୍ଯ୍ୟ କେବଳ କାଗଜପତ୍ରରେ ସିମିତ ରହିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ନିୟମ ରହିଛି। ପଞ୍ଜୀକୃତ ଶ୍ରମିକମାନଙ୍କୁ ଶହେ ଦିନର କାର୍ଯ୍ୟ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। କିଛି ଶ୍ରମିକ କାର୍ଯ୍ୟ କରିଥିଲେ ହେଁ ଏ ପର୍ଯ୍ୟନ୍ତ ତାର ପ୍ରାପ୍ୟ ପାଇ ନ ଥିବାରୁ ଶ୍ରମିକ ସରକାରୀ କାର୍ଯ୍ୟରୁ ମୁହଁ ଫେରିଛନ୍ତି। ଜିଲାରେ ଗରିବଙ୍କ ପାଇଁ ଆସୁଥିବା ସରକାରୀ ଯୋଜନା ରାଜନୈତିକ ହସ୍ତକ୍ଷେପ ଯୋଗୁ ପ୍ରକୃତ ଗରିବ ସୁଫଳ ହୋଇପାରୁ ନ ଥିବାରୁ ଜିଲାରୁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରେ ଦାଦନ ଶ୍ରମିକ ରୋକିବା ପାଇଁ ଆବଶ୍ୟକ ସଚେତନତା ସହିତ ସରକାରୀ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେବା ଏବଂ ଖଡିଆଳରେ ଡେରା ବାନ୍ଧି ନିର୍ଭୟରେ ଗାଁ ଗାଁରେ ଅଗ୍ରୀମ ଦେଉଥିବା ଦାଦନ ସର୍ଦ୍ଦାର ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି।