ଦାଦନ ଖଟି ୩ ସନ୍ତାନ, ଶାଶୁଙ୍କ ବୋଝ ସମ୍ଭାଳୁଛନ୍ତି ତିଳୋତ୍ତମା

କର୍ଲାମୁଣ୍ଡା:୨୩।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ରେଙ୍ଗାଲି ଗ୍ରାମର ତିଳୋତ୍ତମା ରଣା(୨୮)ସ୍ବାମୀଙ୍କ ବିୟୋଗ ପରେ ଦାଦନ ଖଟି ୩ ପିଲାଙ୍କ ସହ ଶାଶୁଙ୍କ ବୋଝ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ବ୍ଲକ ସଦରଠାରୁ ପ୍ରାୟ ୩ କି.ମି ଦୁର ରେଙ୍ଗାଲି ଗ୍ରାମର କୁମୁଦ ରଣା ରୋଗରେ ଆକ୍ରାନ୍ତ ହୋଇ ୨୦୧୭ରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ତିଳୋତ୍ତମାଙ୍କ ଉପରେ ଏବେ ପରିବାର ବୋଝ। ତିଲୋତ୍ତମାଙ୍କ ବଡ଼ ଝିଅ କମଳିନୀ( ୧୧)ମାମୁଁ ଘର ବଲାଙ୍ଗୀର ଜିଲାର କୁସ୍ମେଲରେ ରହି ଚତୁର୍ଥ ଶ୍ରେଣୀ ପାଠ ପଢୁଥିବା ବେଳେ ଦ୍ୱିତୀୟ ଝିଅ କାମିନୀ(୭) ସାନ ପୁଅ ଝସକେତନ (୪) ଏବଂ ବିଧବା ବୃଦ୍ଧା ଶାଶୁ ନିରବତୀ ରଣାଙ୍କ ସହ ସ୍ବାମୀଙ୍କ ଚିକିତ୍ସା ପାଇଁ ହୋଇଥିବା ଧାର କରଜ ସୁଝିବା ଏବେ ମୁଣ୍ଡ ଉପରେ। ତେବେ ପରିବାର ପାଇଁ ସରକାରଙ୍କ ପକ୍ଷରୁ ଶାଶୁ ବୋହୁଙ୍କ ମିଳୁଥିବା ବିଧବା ଭତ୍ତା ସାଙ୍ଗକୁ ଟଙ୍କିକିଆ ଚାଉଳ ହିଁ ଏକମାତ୍ର ଭରଷା। ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା ଓ ଲୋକଙ୍କ ଧାର ଟଙ୍କା ଫେରେଇବା ପାଇଁ ତିଲୋତ୍ତମା ଗତ ନଭେମ୍ବରରେ ଛୁଆଙ୍କୁ ଶାଶୁଙ୍କ ଦାୟିତ୍ୱରେ ଛାଡି ଦାଦନ ଖଟିବାକୁ ବଲାଙ୍ଗୀର ଏକ ଇଟା ଭାଟିକୁ ଯାଇ ଚଳିତ ମାସରେ ଘରକୁ ଫେରିଛନ୍ତି। ଏପରିକି ଆସନ୍ତା ମାସରେ ପୁଣି ଦାଦନ ଖଟିଯିବାକୁ ତିଳୋତ୍ତମା କହିଛନ୍ତି। ଏଣୁ ପରିବାର ତିନି ଛୁଆଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ତିଳୋତ୍ତମା ଅନୁରୋଧ କରିଛନ୍ତି।