ଗହୀରମଥାରେ ଦାଆ ବେଣ୍ଟିଆ

ମହାକାଳପଡ଼ା,୭।୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମୌସୁମୀ ବାୟୁ ଆଗମନ ପୂର୍ବରୁ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କର କୋଳାହଳ ହେଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଭଳି ମୌସୁମୀ ଆଗମନ ପରେ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କର ଆଡ୍ଡାସ୍ଥଳୀ ପାଲଟିଯାଏ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅବବାହିକାରେ ଥିବା ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲ। ୧୯୯୯ ମହାବାତ୍ୟା ପରେ ଉପକୂଳ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା କମି ଯାଇଥିଲା। ଏବେ ସେହି ପକ୍ଷୀମାନଙ୍କ ମଧ୍ୟରେ କେତେକ ଦେଖାଯାଉଛନ୍ତି। ଗଲାବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ନାଲି ରଙ୍ଗର ବଗ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଚଳିତବର୍ଷ ଏହି ଅଞ୍ଚଳରେ ବଗ ପ୍ରଜାତିର ଗ୍ଲସି ଆଇବିଶି (ଦାଆ ବେଣ୍ଟିଆ) ଦେଖିବାକୁ ମିଳିଛି। ତେଣୁ ବିଲୁପ୍ତ ହୋଇଯାଉଥିବା ପକ୍ଷୀମାନଙ୍କ ଉପଯୁକ୍ତ ଯତ୍ନ ନିଆଗଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରିବ ବୋଲି ପରିବେଶତ୍‌ମାନେ କହିଛନ୍ତି।
ଗହୀରମଥା ଅଞ୍ଚଳରେ ନଦୀ ନାଳରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ଖାଲ ଜମି, ଗହୀର ପାଟ ଆଦି ସ୍ଥାନରେ ଛୋଟ ଛୋଟ ମାଛ, କଙ୍କଡା, ଗେଣ୍ଡା, ଶାମୁକା ଆଦି ମହଜୁଦ ଥିବାରୁ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମଙ୍ଗଳବାର ପୂର୍ବାହ୍ନରେ ଦାଆବେଣ୍ଟିଆ ଦେଖିବାକୁ ମିଳିଛି। ସାଧାରଣ ବଗଗୁଡ଼ିକ ଶିକାରୀକୁ ଦେଖିବା ପୂର୍ବରୁ ଉଡ଼ି ଯାଇଥାନ୍ତି। କିନ୍ତୁ ଦାଆ ବେଣ୍ଟିଆଗୁଡିକ ଟିକେ ଶବ୍ଦ ଶୁଣି ନିଜକୁ ସୁରକ୍ଷିତ ରଖିବାକୁ ବେକକୁ ଡେଣା ଭିତରେ ପୂରାଇ ଗୋଲାକାର ହୋଇଯାଆନ୍ତି। କଳା ରଙ୍ଗର ହୋଇଥିବାରୁ ଗଛର ପତ୍ର ଉହାଡରେ ନିଜକୁ ସୁରକ୍ଷିତ ରଖିଥାଏ। ଏହି ଦାଆ ବେଣ୍ଟିଆଙ୍କ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ଦୃଷ୍ଟି ଦେବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। କାରଣ ଏହି ଅଞ୍ଚଳରେ ଶିକାରୀମାନଙ୍କ ପ୍ରାଦୁର୍ଭାବ ଅଧିକ ରହିଛି। ବିଗତଦିନରେ ବଗ ଶିକାର କରି ବତୀଘର ଅଞ୍ଚଳର ଜଣେ ଶିକାରୀ ଗିରଫ ହୋଇଥିଲେ। ତେଣୁ ଯେପରି ବିଷ ଓ ଫାଶ ଦେଇ ପକ୍ଷୀମାନଙ୍କୁ ଶିକାର କରା ନ ଯାଏ ସେଥିପ୍ରତି ବନ ବିଭାଗ ପକ୍ଷରୁ ଯତ୍ନବାନ ହେବାକୁ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି। ଅପରପକ୍ଷରେ ପକ୍ଷୀ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କୁହନ୍ତି, ଏହା ଆମ ଦେଶୀୟ ପକ୍ଷୀ। ପ୍ରଥମଥର ପାଇଁ ଏହି ଅଞ୍ଚଳରେ ଦେଖା ଯାଇଥିବାରୁ ସେମାନଙ୍କ ସୁରକ୍ଷା, ବଂଶ ବିସ୍ତାର ଓ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଏମାନଙ୍କ ଉପରେ ଯେପରି ନ ପଡେ ସେଥିପାଇଁ ବନ ବିଭାଗ ଲୋକମାନଙ୍କୁ ସଚେତନ କରିବା ଦରକାର। ଯଦି ଏମାନଙ୍କ ବଂଶ ବିସ୍ତାର ପ୍ରତି ଯତ୍ନ ନିଆଯାଏ, ତେବେ ଏହାକୁ ଦେଖିବାକୁ ଦିନେ ପର୍ଯ୍ୟଟକ ଓ ପକ୍ଷୀ ବିଶାରଦଙ୍କ ପେଣ୍ଠସ୍ଥଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ପାଲିଟିବ। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କୁ ପଚାରିବାରେ ଏହି ପକ୍ଷୀଙ୍କୁ ଗ୍ଲସି ଆଇବିଶି (ଦାଆ ବେଣ୍ଟିଆ) ବୋଲି ସେ କହିଛନ୍ତି।