ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ ଉପହାର! ୨୦% ଅତିରିକ୍ତ DA ସହ ଆଗୁଆ ମିଳିବ ଦରମା

ନୂଆଦିଲ୍ଲୀ, ୩୧।୭: ପଶ୍ଚିମବଙ୍ଗ ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ କର୍ମଚାରୀମାନଙ୍କୁ ଅକ୍ଟୋବର ମାସରୁ ୨୦ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା (DA) ମିଳିବ। ଏତିକି ନୁହେଁ, ଦୁର୍ଗାପୂଜା ଆରମ୍ଭ ହେବା ପୂର୍ବରୁ ଅକ୍ଟୋବର ମାସର ଦରମା ମଧ୍ୟ କର୍ମଚାରୀମାନଙ୍କ ଆକାଉଣ୍ଟକୁ ପଠାଯିବ। ଏହି ନିଷ୍ପତ୍ତି ଦ୍ୱାରା ପର୍ବପର୍ବାଣୀ ସମୟରେ କର୍ମଚାରୀମାନଙ୍କୁ ଆର୍ଥିକ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାରେ ଅବସ୍ଥିତ ପଶ୍ଚିମବଙ୍ଗ ପୋଲିସ ମୁଖ୍ୟାଳୟ ‘ଭବାନୀ ଭବନ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଅକ୍ଟୋବର ମାସର ଦରମା ଦୁର୍ଗାପୂଜା ପୂର୍ବରୁ ଜାରି କରାଯାଉ। ଏହା ସହିତ ପୂଜା ମାସରେ କର୍ମଚାରୀମାନଙ୍କୁ ୨୦ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା (Dearness Allowance) ମଧ୍ୟ ଦିଆଯାଉ।

ମୁଖ୍ୟମନ୍ତ୍ରୀ କହିଛନ୍ତି , ରାଜ୍ୟ ସରକାରଙ୍କ ବଜେଟରେ ପୂର୍ବରୁ ହିଁ ଏହି ଘୋଷଣା କରାଯାଇଥିଲା ଯେ ଅକ୍ଟୋବରରୁ କର୍ମଚାରୀମାନଙ୍କୁ ୨୦ ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ଦିଆଯିବ। ବର୍ତ୍ତମାନ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ଆଗକୁ ବଢ଼ୁଛନ୍ତି। ଅର୍ଥାତ୍‌ ଦୁର୍ଗାପୂଜା ସମୟରେ କର୍ମଚାରୀମାନଙ୍କୁ ଦରମା ସହିତ ବର୍ଦ୍ଧିତ ଡିଏ (DA)ର ଲାଭ ମଧ୍ୟ ମିଳିବ।

ସାଧାରଣତଃ ପଶ୍ଚିମବଙ୍ଗ ସରକାରଙ୍କ କର୍ମଚାରୀମାନଙ୍କର ପ୍ରତି ମାସର ଶେଷ କାର୍ଯ୍ୟଦିବସରେ ଦରମା ଆସିଥାଏ। କିନ୍ତୁ ଯଦି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ, ତେବେ ଏଥର ଅକ୍ଟୋବର ମଧ୍ୟଭାଗରେ ହେବାକୁ ଥିବା ଦୁର୍ଗାପୂଜାର ବହୁ ପୂର୍ବରୁ କର୍ମଚାରୀମାନଙ୍କ ଆକାଉଣ୍ଟରେ ଅକ୍ଟୋବର ମାସର ଦରମା ପହଞ୍ଚିଯିବ। ଏହାଦ୍ୱାରା ପର୍ବର ପ୍ରସ୍ତୁତି ପାଇଁ କର୍ମଚାରୀମାନେ ପୂର୍ବରୁ ହିଁ ଟଙ୍କା ପାଇପାରିବେ।

 

Odisha’s No.1 Odia Daily