ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ ନଜର ଜୁଲାଇ ୨୦୨୬ର ମହଙ୍ଗା ଭତ୍ତା (Dearness Allowance DA) ବୃଦ୍ଧି ଉପରେ ରହିଛି।
ସାଧାରଣତଃ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଜାନୁଆରୀ ଏବଂ ଜୁଲାଇ ମାସରେ ମହଙ୍ଗା ଭତ୍ତା ସଂଶୋଧନ କରିଥାନ୍ତି। ଜାନୁଆରୀ ମାସର ଡିଏ ମାର୍ଚ୍ଚ-ଏପ୍ରିଲରେ ଘୋଷଣା ହେଉଥିବା ବେଳେ, ଜୁଲାଇ ମାସର ଡିଏ ସେପ୍ଟେମ୍ୱର କିମ୍ୱା ଅକ୍ଟୋବର ମାସରେ ଘୋଷଣା କରାଯାଏ। କିନ୍ତୁ ଏଥର ରାକ୍ଷୀ ପୂର୍ଣ୍ଣିମା ଏବଂ ଓନମ ଭଳି ମୁଖ୍ୟ ପର୍ୱପର୍ୱାଣିକୁ ଦୃଷ୍ଟିରେ ରଖି କର୍ମଚାରୀ ସଂଗଠନଗୁଡ଼ିକ ସରକାରଙ୍କ ନିକଟରେ ଡିଏ ବୃଦ୍ଧି ଘୋଷଣା ଯଥାଶୀଘ୍ର କରିବାକୁ ଦାବି କରିଛନ୍ତି।
ଅଲ ଇଣ୍ଡିଆ ଏନ୍ପିଏସ ଏମ୍ପ୍ଲୋଇଜ ଫେଡେରେସନ ଏବଂ ନ୍ୟାସନାଲ ମିଶନ ଫର୍ ଓଲ୍ଡ ପେନ୍ସନ ସ୍କିମ ଭାରତର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ମଞ୍ଜିତ ପଟେଲଙ୍କ ସମେତ ଅନେକ ବିଶେଷଜ୍ଞଙ୍କ କହିବାନୁସାରେ, ପର୍ୱପର୍ୱାଣି ଋତୁକୁ ଧ୍ୟାନରେ ରଖି ସରକାର ଡିଏ ଘୋଷଣାକୁ ବିଳମ୍ୱ ନକରି ଅଗଷ୍ଟ ଶେଷ ସୁଦ୍ଧା (ରକ୍ଷାବନ୍ଧନ ପାଖାପାଖି) କରିଦେବା ଉଚିତ। ରକ୍ଷାବନ୍ଧନ ଏବଂ ଓନମ ଭଳି ପର୍ୱକୁ ଆଖିଆଗରେ ରଖି ସରକାର କର୍ମଚାରୀଙ୍କ ଦରମା ଦିନେ-ଦୁଇଦିନ ପୂର୍ୱରୁ ପ୍ରଦାନ କରନ୍ତୁ ଏବଂ ଡିଏ ବୃଦ୍ଧି ମଧ୍ୟ ଶୀଘ୍ର ଘୋଷଣା କରନ୍ତୁ ବୋଲି କର୍ମଚାରୀ ସଂଗଠନଗୁଡ଼ିକ ଦାବି କରିଛନ୍ତି।
ମନେରଖନ୍ତୁ, ମହଙ୍ଗା ଭତ୍ତା ବୃଦ୍ଧି କେବଳ କେନ୍ଦ୍ରୀୟ କ୍ୟାବିନେଟର ମଞ୍ଜୁରୀ ପରେ ହିଁ ଲାଗୁ ହୋଇଥାଏ। ଯେପର୍ଯ୍ୟନ୍ତ ୮ମ ବେତନ ଆୟୋଗ ଲାଗୁ ହୋଇନାହିଁ, ସେପର୍ଯ୍ୟନ୍ତ ୭ମ ବେତନ ଆୟୋଗ (7th Pay Commission) ଆଧାରରେ ହିଁ ଡିଏ ଗଣନା କରାଯିବ।
ଏହା ପୂର୍ୱରୁ ମୋଦୀ ସରକାର ମାର୍ଚ୍ଚ-ଏପ୍ରିଲ୍ରେ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିଥିଲେ, ଯାହାଦ୍ୱାରା ଡିଏ ୫୮% ରୁ ବୃଦ୍ଧି ପାଇ ୬୦% ହୋଇଥିଲା। ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ତଥ୍ୟ ଏବଂ ମହଙ୍ଗା ଦରର ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ ଏଥର ଡିଏ ୨ ରୁ ୩ ପ୍ରତିଶତ ବୃଦ୍ଧି ପାଇପାରେ। ଯଦି ସରକାର ୩% ବୃଦ୍ଧିକୁ ମଞ୍ଜୁରୀ ଦିଅନ୍ତି, ତେବେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀଙ୍କ ମୋଟ ମହଙ୍ଗା ଭତ୍ତା ମୂଳ ଦରମା (Basic Salary) ର ୬୩% କୁ ବୃଦ୍ଧି ପାଇବ।