ବାତ୍ୟା ‘ସିତ୍ରାଙ୍ଗ’ ଆଲର୍ଟ: ୧୦୦ରୁ ୧୩୦ ବେଗରେ ବହିପାରେ ପବନ, ୭ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ)-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହେଲେ ନାଁ ରହିବ ‘ସିତ୍ରାଙ୍ଗ’ । ଥାଇଲାଣ୍ଡ କରିଥିବା ନାମକରଣ ଅନୁସାରେ ଏହା ରଖାଯାଇଛି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ। ସିତ୍ରାଙ୍ଗ କେଉଁ ଦିଗ ଦେଇ ଗତି କରିବ, ଏହାର ତୀବ୍ରତା କେତେ ରହିବ, କେଉଁଠି ଲ୍ୟାଣ୍ଡଫଲ୍‌ କରିବ ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ କେତେକ ପାଣିପାଗ ମଡେଲ କହୁଛି, ବାତ୍ୟା କେନ୍ଦ୍ରାପଡ଼ାରୁ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ଼ ଦ୍ୱାରା ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଜିଲା ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଇଛି। ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୩୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରୁ ୨୫ ତାରିଖ ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି।