Categories: କଟକ

ତାସ ଖେଳିବାପାଇଁ ଉଦ୍ଦିଷ୍ଟ ସରକାରୀ କୋଠଘର! ଆଶ୍ରୟସ୍ଥଳୀ କରିବା ପାଇଁ ଅନିଚ୍ଛୁକ…..

କଟକ ସଦର,୨୮।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବ ପାଇଁ କଟକ ସଦର ବ୍ଲକ ପ୍ରଶାସନ ମଙ୍ଗଳାବର ତତ୍ପରତା ଦେଖାଇ ସବୁ ବିଦ୍ୟାଳୟକୁ ଆବଶ୍ୟକ ପଡିଲେ ଖୋଲା ରଖିବା ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବଶ୍ୟକ ପଡିଲେ ବିଦ୍ୟାଳୟର ଚାବି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରି ରାତିରେ ଘରକୁ ଯିବାପାଇଁ ବିଡ଼ିଓ ଙ୍କ ନିର୍ଦ୍ଦେଶ ଥିଲା। ପ୍ରତି ଗ୍ରାମରେ ଥିବା ଏକାଧିକ କୋଠଘର, କ୍ଲବ, ମହିଳା ସମିତି ଗୃହ ଭଳି ସରକାରୀ ଘରର ଚାବି ଦେବାପାଇଁ କିଛି ପ୍ରତିପତ୍ତି ବ୍ୟକ୍ତି ଅନିଚ୍ଛୁକ ଥିଲେ ।ସ୍ୱଳ୍ପ କାଳୀନ ଆଶ୍ରୟ ସ୍ଥଳ ଗାଁରେ କରିବା ପାଇଁ ସରପଞ୍ଚମାନେ ସ୍ଥିର କରି ନିରାଶ ହୋଇଥିବା ଜଣାପଡିଛି ।

ସରକାରୀ ଜମି ଉପରେ ନିର୍ମିତ କୋଠଘର କେବଳ ତାସ ଖେଳିବା ପାଇଁ ଉଦ୍ଦିଷ୍ଟ । ସେଥିପାଇଁ ଏହି ପ୍ରକାରର ଘରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗରିବ ଲୋକଙ୍କ ବ୍ୟବହାର କରିବାପାଇଁ ଅନୁମତି ଦେବାକୁ ନେତାମାନେ ରାଜି ନୁହନ୍ତି । ଶତପ୍ରତିଶତ ସରକାରୀ ଅନୁଦାନରେ ନିର୍ମିତ କୋଠଘର କେବଳ ହାତଗଣତି ଲୋକଙ୍କ ବ୍ୟବହାରରେ ଆସୁଥିବା ଅଭିଯୋଗ ହେଉଛି । ବାର୍ଷିକ ମରାମତି ଓ ରଙ୍ଗ ଦିଆଯିବା କାର୍ଯ୍ୟ ମଧ୍ୟ ସାଂସଦ ଓ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ କରାଯାଉଛି । କୋଠଘରର ନିୟନ୍ତ୍ରଣ କାହା ଅଧୀନରେ ରହିବା ତାର ନିର୍ଣ୍ଣୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଣ୍ଣୟ କରିବାପାଇଁ ଦାବି ହେଉଛି । ଏନେଇ ବିଡିଓ ପ୍ରତୀକ ସାହୁଙ୍କୁ ପଚାରିବାରୁ ଏ ବିଷୟରେ କଟକ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

Share