ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା ବର୍ଷା ଲାଗି ରହିଥିଲା। ବର୍ଷା ଯୋଗୁ କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ତଳ ଗୁମାଣ୍ଡି ପଞ୍ଚାୟତ ବୋରିପୁଟ ଗ୍ରାମ ନିକଟରେ ପାହାଡ଼ରୁ ଗୁରୁବାର ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିଲା।

ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିଗୁଡିକ ଠିଆ ହୋଇ ଅଟକି ରହିଥିଲା l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରାସ୍ତାରେ ରହିଥିବା ପଥରଗୁଡିକୁ ହଟାଇ ଥିଲେ। ଏପରିକି ବଡ଼ବଡ଼ ପଥରଗୁଡିକୁ ଜେସିବି ମେଶିନ ସାହାଯ୍ୟରେ ହଟାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ଜିଲାରେ ୩୨୦ ମି.ମି ବର୍ଷା ହୋଇଥିବା ବେଳେ କୋଟପାଡ଼ ବ୍ଲକରେ ୬୪ମି.ମି., ପଟ୍ଟାଙ୍ଗୀ ବ୍ଲକରେ ୪୨.୪ମି.ମି. ବର୍ଷା ହୋଇଛି। ବର୍ଷାରେ ଜିଲାରେ ୮ଟି ଘର ଭାଙ୍ଗିଥିବା ଜଣାଯାଇଛି।