ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ ମତ୍ସଜୀବୀ ଓ କଙ୍କଡା ଧରାଳି ସମୁଦ୍ର ବାଲି ସ୍ତୁପ ଦ୍ବୀପ ପୁଞ୍ଜରେ ସୁରକ୍ଷିତ ଥିବା ଗୋପନରେ ଖବର ମିଳିଛି । ରାତି ସୁଦ୍ଧା ହୁକିଟୋଲା ଠାରେ ପହଂଚିବା ନେଇ ଖବର ମିଳିଛି । ସେଠାରେ ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଜାରି ରହିଛି । ଗୁରୁବାର ସକାଳ ସୁଦ୍ଧା ଘରକୁ ଫେରିବେ ବୋଲି ସ୍ଥାନୀୟ ଉପକୂଳ ଅଞ୍ଚଳର ଜୈନିକ ଜନ ପ୍ରତିନିଧିଙ୍କ ଠାରୁ ସୂଚନା ମିଳୁଛି ।

ଅପର ପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଲୋକମାନଙ୍କୁ ନିକଟସ୍ତ ସ୍କୁଲ ଗୃହ ଓ ବହୁ ମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଉପକୂଳ ଅଞ୍ଚଳ ସରପଞ୍ଚମାନଙ୍କ ଠାରୁ  ସୂଚନା ମିଳିଚ୍ଛି । ବିଶେଷକରି ଉପକୂଳ ଅଞ୍ଚଳ ପଞ୍ଚାୟତମାନଙ୍କ ମଧ୍ୟରେ ଜମ୍ବୁ, ସୁନୀତି, ନାଂଜୁରା, ଖରିନାସି, ବତୀଘର, ରାମନଗର, ବଉଳକଣୀ, ପେଟଛେଲା, ଗଗୁଆ ପ୍ରମୁଖ ପଞ୍ଚାୟତ ସମେତ ଅନ୍ୟ ପଂଚାୟତରେ ତଳିଆ ଅଞ୍ଚଳ ଲୋକମାନଙ୍କ ସଚେତନତା ବାର୍ତ୍ତା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ବିଶେଷ କରି ମହିଳା, ଶିଶୁ, ରୋଗୀ, ଗର୍ଭବତୀ ଓ ଅସହାୟ ଲୋକଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ପାଇଁ ସରକାରୀ ଅଧିକାରଙ୍କୁ ଆଲର୍ଟ କରାଯାଇଛି । ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱାରୋପ କରାଯାଇଛି ବୋଲି ବିଡ଼ିଓ ମନୋଜ କୁମାର ନାୟକ କହିଛନ୍ତି । ଅଙ୍ଗାବୱାଡି କର୍ମୀ, ଆଶା କର୍ମୀ, ଶିକ୍ଷକ, ଜନ ପ୍ରତିନିଧି , ସ୍ଵେଚ୍ଛାସେବୀ ଓ ରେସ୍କୁ ଟିମ ସଦସ୍ୟମାନଙ୍କୁ ନିୟୋଜିତ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦୁଇ ଦିନ ଶିକ୍ଷାନୁଷ୍ଠାନ ଛୁଟି ରହିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ପ୍ରାପ୍ତ ସୂଚନା ଅନୁସାରେ ବତୀଘର ଅଞ୍ଚଳରେ ଝିପି ଝପି ବର୍ଷା ସାଙ୍ଗକୁ କୋହଲା ପବନ ଆରମ୍ଭ ହୋଇଛି । ଫଳରେ ତଳିଆ ଅଞ୍ଚଳର ୬୦ରୁ ଅଧିକ  ଲୋକଙ୍କୁ କଜଳ ପାତିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ରେସ୍କୁ କରାଯାଇଛି ବୋଲି ସୂଚନା ମିଳିଛି । ଶୁଖିଲା ଓ ରନ୍ଧା ଖାଦ୍ୟ  ବ୍ୟବସ୍ତା କରାଯାଉଛି ବୋଲି ସରପଞ୍ଚ ଶିବାନୀ ବିଜୁଳି କହିଛନ୍ତି । ମହାକାଳପଡ଼ା ବ୍ଲକ ନୋଡାଲ ଅଫିସର ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ  ପ୍ରକଳ୍ପ ଅଧିକାରୀଙ୍କୁ ଦାଇତ୍ୱରେ ଥିବା ଖବର ମିଳିଛି । ବ୍ଲକ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି ବୋଲି କୁହାଯାଉଛି । ସେହିପରି ଜମ୍ବୁ ପଞ୍ଚାୟତର କଣ୍ଡରା ପାଟିଆ ବହୁ ମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ୭୦ରୁ ଅଧିକ ତଳିଆ ଅଞ୍ଚଳ ଲୋକଙ୍କୁ ରେସ୍କ୍ୟୁ କରାଯଇଛି । ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ସରପଞ୍ଚ ବିଶ୍ୱଜିତ ବସୁ କହିଛନ୍ତି ।

 

Dharitri – Odisha’s No.1 Odia Daily

Share