ବାତ୍ୟା ଅସାନୀ ପ୍ରଭାବରେ ଆଣ୍ଡାମାନରେ ପ୍ରବଳ ବର୍ଷା

ପୋର୍ଟ ବ୍ଲେୟାର,୨୧ ।୩: ବାତ୍ୟା ଅସାନୀ ପ୍ରଭାବରେ ରବିବାର ଆଣ୍ଡାମାନ ଓ ନିକୋବର ଦ୍ୱିପରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଚଳିତ ବର୍ଷର ଏହା ପ୍ରଥମ ବାତ୍ୟା ହୋଇଥିବା ବେଳେ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ଯୋଗୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହାସହ ଜାହାଜ ସେବାକୁ ବନ୍ଦ କରାଯିବା ସହ ମତ୍ସଜୀବିଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି ।
ତେବେ ଭାରତ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି କି ୨୦ ମାର୍ଚ୍ଚ ୨୦୨୨ରେ ସକାଳ ସାଢେ ୫ଟାରେ ଦକ୍ଷିଣ-ପୂର୍ବ ପଶ୍ଚିମବଙ୍ଗର ଉପକୂଳ ଓ ଦକ୍ଷିଣ ଆଣ୍ଡାମାନସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସର୍ବନିମ୍ନ ଚାପରେ ପରିଣତ ହୋଇଛି ।
ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ବାଂଲାଦେଶ ଏବଂ ମ୍ୟାନମାର ଉପକୂଳ ଆଡକୁ ଗତିକରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱିପରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Share