ଲ୍ୟାଣ୍ଡଫଲ କରିବ ନାହିଁ ବାତ୍ୟା

ଭୁବନେଶ୍ୱର,୭।୫(ବ୍ୟୁରୋ): ସ୍ଥଳଭାଗ ଛୁଇଁବ ନାହିଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା। ଏନେଇ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ କରିବନି। ବରଂ ୧୦ ତାରିଖ ସନ୍ଧ୍ୟା ପରେ ବାତ୍ୟା ଦିଗ ପରିବର୍ତ୍ତନ କରିବ। ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବ ନାହିଁ। ଓଡ଼ିଶା ଅବା ଆନ୍ଧ୍ର, କେଉଁଠିବି ବାତ୍ୟା ଲ୍ୟାଣ୍ଡଫଲ କରିବନି। ଲ୍ୟାଣ୍ଡଫଲ ନକରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ। ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ବାତ୍ୟା ଯୋଗୁ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା କୂଳକୁ ଚାଲି ଆସିବାକୁ କୁହାଯାଇଛି। ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ନ ଥିଲେ ହେଁ ୧୦ ସଧ୍ୟା ପରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଶେଷ କରି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ହେବ। ସେହିପରି ଆଉ କିଛି ଜିଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।