ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା ଅର୍ଣ୍ଣବ; ଏତିକି ବେଗରେ ବହିଲା ପବନ, ଛାରଖାର….

ଭୁବନେଶ୍ବର,୨୮।୧୦: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଛି। କାକିନାଡ଼ା ନିକଟ ୟାନମ୍‌ ପାଖରେ ସ୍ଥଳଭାଗ ଛୁଇଁଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିବାବେଳେ ଝଟକା ପବନ ୧୪୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା ରହିଛି । ବର୍ତ୍ତମାନର ସ୍ଥିତି ଅନୁସାରେ ସଂପୂର୍ଣ୍ଣ ସ୍ଥିର ରହିଛି ଅତିଭୀଷଣ ବାତ୍ୟା ଅର୍ଣ୍ଣବ । ସ୍ଥଳଭାଗ ପ୍ରକ୍ରିୟା ଆହୁରି ୨ ଘଣ୍ଟା ଜାରି ରହିବା ସମ୍ଭାବନା ରହିଛି । ଗତିର ଦିଗ ପରିବର୍ତ୍ତନ ହେତୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଅନୁମାନ କରାଯାଉଛି । ଆଗାମୀ ୩ ଘଣ୍ଟା ପବନର ବେଗ ୧୨୫ରୁ ୧୩୫ କିମି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଅନକାପଲ୍ଲୀ, କାକିନାଡ଼ା ଓ କୋନାସୀମା ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଝଡ଼ର ଭୟାବହତାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ପ୍ରାୟ ୪ ହଜାର ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରଖାଯାଇଛି । ଆନ୍ଧ୍ରପ୍ରଦେଶରେ ୮୪ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସାମୁଦ୍ରିକ ଝଡ଼ର ପ୍ରଭାବ ବିମାନ ଓ ରେଳ ଚଳାଚଳ ଉପରେ ମଧ୍ୟ ପଡ଼ିଛି। ବିଜୟୱାଡ଼ା ଓ ବିଶାଖାପାଟଣା ବିମାନବନ୍ଦରରେ ୨୧ଟି ବିମାନ ଉଡ଼ାଣ ବାତିଲ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ରେଳବାଇ ପକ୍ଷରୁ ୫୦ଟି ଟ୍ରେନ୍‌ ବାତିଲ କରାଯାଇଛି। ପାଣିପାଗ ସ୍ଥିତିକୁ ଦେଖି ଆଗକୁ ରେଳ ଚଳାଚଳରେ ଅଧିକ ପରିବର୍ତ୍ତନ ହୋଇପାରେ।

ସାମୁଦ୍ରିକ ଝଡ଼ର ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲାରେ ସ୍କୁଲ୍‌ ବନ୍ଦ ରଖାଯାଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପଟେ, ଆନ୍ଧ୍ରପ୍ରଦେଶର ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟର ଶକ୍ତିମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଖବରରେ ଉଲ୍ଲେଖ ରହିଛି ।

 

Dharitri – Odisha’s No.1 Odia Daily

Share