କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ଜିଲାର ୧୪ଟି ବ୍ଲକରେ ମୋଟ ୮୫୬.୭ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟ ମଧ୍ୟରେ ଜିଲାର ହାରାହାରି ବର୍ଷା ପରିମାଣ ୬୧.୧୯ ମିମି ରହିଛି।
ବର୍ଷା ପରିମାଣ ଦୃଷ୍ଟିରୁ ସେମିଳିଗୁଡ଼ା ବ୍ଲକରେ ସର୍ବାଧିକ ୧୯୩.୯ ମିମି ବର୍ଷା ହୋଇଛି। ଏହାପରେ ନନ୍ଦପୁରରେ ୭୯ ମିମି, ବୋଇପାରିଗୁଡ଼ାରେ ୭୮ ମିମି, ବୋରିଗୁମ୍ମାରେ ୭୭.୬ ମିମି, କୁନ୍ଦ୍ରାରେ ୬୫.୧ ମିମି ଏବଂ ଜୟପୁରରେ ୬୧.୨ ମିମି ବର୍ଷା ରେକର୍ଡ ହୋଇଛି।
ସେହିପରି ପଟ୍ଟାଙ୍ଗିରେ ୫୬.୪ ମିମି, ଲକ୍ଷ୍ମୀପୁରରେ ୪୮.୮ ମିମି, କୋରାପୁଟରେ ୪୮ ମିମି, କୋଟପାଡ଼ରେ ୩୮.୪ ମିମି, ଲମତାପୁଟରେ ୩୮.୨ ମିମି, ଦଶମନ୍ତପୁରରେ ୩୨ ମିମି ଏବଂ ନାରାୟଣପାଟଣାରେ ୨୬ ମିମି ବର୍ଷା ହୋଇଛି। ବନ୍ଧୁଗାଁ ବ୍ଲକରେ ସର୍ବନିମ୍ନ ୧୪.୧ ମିମି ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ବାତ୍ୟାଜନିତ ପରିସ୍ଥିତି ଅନୁଧ୍ୟାନ ଓ ସ୍ଥିତି ସମୀକ୍ଷା ପାଇଁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କୋରାପୁଟରେ ପହଞ୍ଚିଛନ୍ତି। ସେ ଆଜି ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ଓ ବର୍ଷା ପରିସ୍ଥିତିର ସମୀକ୍ଷା କରିବେ ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ ସୂଚନା ଦେଇଛନ୍ତି।
ଲଗାଣ ବର୍ଷା ଯୋଗୁ ଜିଲାର ବିଭିନ୍ନ ଅଞ୍ଚଳରେ ସମ୍ଭାବ୍ୟ ଜଳବନ୍ଦୀ ଓ ଯୋଗାଯୋଗ ସମସ୍ୟା ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଆବଶ୍ୟକସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତି ଜାରି ରହିଛି।