ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ଘୋଡାହାଡ ଡ଼୍ୟାମରୁ ସ୍ପିଲ୍ ୱେ ମୁଖ୍ୟ ଫାଟକର ଗୋଟିଏ ଗେଟ୍ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ସୋମବାର ରାତି ପ୍ରାୟ ୧୦ ଟାରୁ ପାଣି ଛଡ଼ାଯାଉଥିବା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ଜଣାଇଛନ୍ତି । ଡ଼୍ୟାମର ଉପରମୁଣ୍ଡରେ ଥିବା ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୋମବାର ରାତିରୁ ବର୍ଷା ଲାଗିରହିଛି । ଲଗାଣ ବର୍ଷା ପ୍ରଭାବରେ ନଦୀ,ନାଳ ଓ ଶାଖା ନଦୀମାନଙ୍କରେ ପ୍ରବାହିତ ବନ୍ୟାଜଳ ଡ଼୍ୟାମ ମଧ୍ୟକୁ ପ୍ରବେଶ କରିବ। ତେଣୁ ରାଜ୍ୟ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡ଼୍ୟାମରୁ ନଦୀ ମଧ୍ୟକୁ ଘଣ୍ଟା ପ୍ରତି ୧୪ କ୍ୟୁମେକ୍ ଜଳ ନଦୀ ମଧ୍ୟକୁ ଛଡା ଯାଉଥିବା ଜଣାପଡିଛି।
ନଦୀ ତଟବର୍ତ୍ତୀ ଗୋଲଣ୍ଡା, ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି, ଗୁମା, ପନାଡ, ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା ,ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର,ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ନଦୀ ମଧ୍ୟକୁ ନଯିବା ସହ କୌଣସି ଗୃହପାଳିତ ପ୍ରାଣୀ ମାନଙ୍କୁ ନଛାଡିବା ପାଇଁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ପ୍ରଚାର କରାଯାଇଛି । ଡ଼୍ୟାମ ମଧ୍ୟରୁ ଛୋଟ ବଡ଼ କୁମ୍ଭୀର ଗେଟ୍ ମଧ୍ୟ ଦେଇ ନଦୀ ମଧ୍ୟକୁ ଯାଇପାରେ ବୋଲି ମଧ୍ୟ ଲୋକଙ୍କୁ ସତର୍କ କରାଯାଇଛି । ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ସୋମବାର ସନ୍ଧ୍ୟା ସୁଦ୍ଧା ଡ଼୍ୟାମରେ ୬୪ ଭାଗ ଅର୍ଥାତ୍ ୧୧୪.୮୦ ମିଟର ପାଣି ଗଚ୍ଛିତ ରହିଥିଲା।
ଡ଼୍ୟାମରେ ପ୍ରାୟ ୯୦ ପ୍ରତିଶତ ୧୧୬.୮୦ ମିଟର ପାଣି ରଖାଯାଇ ଉଦବୃତ୍ତ ପାଣି ନଦୀ ମଧ୍ୟକୁ ଛାଡି ଦିଆଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ କହିଛନ୍ତି । ଗତ ସେପ୍ଟେମ୍ବର ୨୬ ତାରିଖରେ ଡ଼୍ୟାମରୁ ପାଣି ଛଡ଼ା ଯାଇଥିଲା।