ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ତତ୍ପର, କାଲି ସ୍ବାସ୍ଥ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ର ମୁକାବିଲା ତଥା ପୂର୍ବ ପ୍ରସ୍ତୁତି ନେଇ କଳାହାଣ୍ଡି ଜିଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ ଜିଲାପାଳଙ୍କ ଓସୱାନ ହଲ୍ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ପାୱାର ସଚିନ ପ୍ରକାଶ ଅଧ୍ୟକ୍ଷତା କରିଥିଲେ ।

ଅନୁଷ୍ଠିତ ବୈଠକରେ ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲାପାଳ (ରାଜସ୍ୱ) ବୈତୁରା ଦୀପ, ଅତିରିକ୍ତ ଜିଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ, ଭବାନୀପାଟଣା ଉପଜିଲାପାଳ ଅଶ୍ଵିନୀ ଏଏଲ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୋଦ ପାଢ଼ୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହିତ କେସିଙ୍ଗା, ଧର୍ମଗଡ଼ ଓ ଜୁନାଗଡ଼ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାରମାନେ ବ୍ଲକ ସ୍ତରରୁ ଭର୍ଚୁଆଲ ମୋଡ୍‌ରେ ଏ ଓସୱାନ ହଲ୍ ବୈଠକରେ ସାମିଲ ହୋଇଥିଲେ । ବୈଠକରେ ସମ୍ଭାବ୍ୟ ବାତ୍ୟା ସମୟରେ ଜୀବନ ଓ ଜୀବିକାର ସୁରକ୍ଷା, ଆଶ୍ରୟସ୍ଥଳୀ ପ୍ରସ୍ତୁତି ଏବଂ ଜରୁରୀକାଳୀନ ସେବା ଯୋଗାଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲା ଗସ୍ତ କରିବେ । ଜିଲା ପ୍ରଶାସନର ବାତ୍ୟା ପ୍ରସ୍ତୁତିର ସେ ତୃଣମୂଳ ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିବା ପାଇଁ ସେ ଅକ୍ଟୋବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲାରେ ଉପସ୍ଥିତ ରହିବେ। ସମ୍ଭାବ୍ୟ ବାତ୍ୟା ସମୟରେ ଉଚ୍ଚସ୍ତରୀୟ ସମନ୍ୱୟ ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀ ମହାଲିଙ୍ଗଙ୍କୁ କଳାହାଣ୍ଡି ଜିଲାର ସ୍ୱତନ୍ତ୍ର ଦାୟିତ୍ୱ ଅର୍ପଣ କରିଛନ୍ତି ।

 

Dharitri – Odisha’s No.1 Odia Daily

Share