ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ରବିବାର ରାତିରେ ବ୍ଲକ ସମ୍ନିଳନୀ କକ୍ଷରେ ବିଡିଓ ଦେବାଶିଷ ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତହସିଲଦାର ବିନୋଦକୁମାର ବେହେରା, ଏନ୍‌ଏସି ନିର୍ବାହୀ ଅଧିକାରୀ ଅଜିତକୁମାର ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର, ସଙ୍ଗିତା ସେଠୀ, ସିଡିପିଓ ଲଳିତା ମଲ୍ଲିକଙ୍କ ସମେତ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୧୬ ତାରିଖରେ ସମୁଦ୍ରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେବ। ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବ। ଭୀଷଣ ବାତ୍ୟାର ରୁପ ନେବା ପରେ ପବନର ବେଗ ୮୫ରୁ ୯୫ କିମି ରହିବା ନେଇ ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି, ଜଳ ନିଷ୍କାସନ, ଉଦ୍ଧାରକାର୍ଯ୍ୟ ଓ ରିଲିଫ ବ୍ୟବସ୍ଥା ସହ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବିସ୍ତୁତ ସମୀକ୍ଷା କରାଯାଇଥିଲେ।

ପୁରୁଷୋତ୍ତମପୁର ସହର ସମେତ ବ୍ଲକର ବିଭିନ୍ନଗ୍ରାମରେ ଜଳବନ୍ଦୀ ସୃଷ୍ଟି ହୋଇଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଡ୍ରେନ ଏବଂ ଜଳ ନିଷ୍କାସନ ପଥ ସଫା କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ଆବଶ୍ୟକ ପ୍ରତିକାର ମୂଳକ ପଦକ୍ଷେପ ନେବା ସହ ନଦୀ କୁଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଆଶ୍ରୟସ୍ଥଳୀରେ ଜେନେରେଟର, ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା ସହ ଚିକିତ୍ସା ସେବା, ବିଦ୍ୟୁତ୍‌ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ସଚଳ ରଖିବା ଉପରେ ତହସିଲଦାର ଗୁରୁତ୍ୱ ଦେଇଥିଲେ। ବାନ୍ୟାକୁ ଜନସାଧାରଣ ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ପ୍ରଶାସନର ନିର୍ଦ୍ଦେଶ ଏବଂ ପାଣିପାଗ ବିଭାଗର ସତର୍କ ସୂଚନା ପାଳନ କରିବାକୁ ବୈଠକରେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୁଷୋତ୍ତମପୁର ଏନ୍‌ଏସି, ଅନ୍ତରିଗାଁ, ଅଲାଡିଗାଁ, ପ୍ରତାପୁର, ହାଣ୍ଡିଘର ଗ୍ରାମରେ ଓଡ୍ରାଫଟିମ୍‌ ନିୟୋଜିତ ଲାଗି ଜିଲାପାଳଙ୍କୁ ଅନୁରୋଧ କରାଯାଇଛି ବୈଠକରେ କୁହାଯାଇଛି।

Share