ଭଞ୍ଜନଗର,୧୮।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୁରୁବାରଠାରୁ କଳିଙ୍ଗା ଘାଟି ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଏହି ସମୟରେ ଘାଟି ରାସ୍ତାରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ । ଘାଟିର ଉଭୟ ପାର୍ଶ୍ୱରେ ପୋଲିସ ମୁତୟନ ରହିବେ ।
ବାତ୍ୟା ପରେ ପରିସ୍ଥିତି ସମୀକ୍ଷା କରି ରାସ୍ତା ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏହି ସମୟରେ ଯାତ୍ରୀ ଓ ଯାନବାହନ ଚାଳକମାନେ ବିକଳ୍ପ ଭାବେ ଚକାପାଦ ରାସ୍ତା ଦେଇ ଯାତାୟାତ କରିବାକୁ ପ୍ରଶାସନ ପରାମର୍ଶ ଦେଇଛି । ଅପରପକ୍ଷେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତତ୍ପର ହୋଇଉଠିଛି । ଉପଜିଲାପାଳ ଉମାଶଙ୍କର ବେହେରା, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ସମେତ ପୋଲିସ, ଦମକଳ ବାହିନୀ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଦିନରାତି ଏକ କରି ପ୍ରସ୍ତୁତି ଓ ପ୍ରତିରୋଧମୂଳକ କାର୍ଯ୍ୟରେ ଲାଗିପଡ଼ିଛନ୍ତି ।