ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖଇରା,୨୨ା୬(ଉତ୍କଳବନ୍ଧୁ ପଣ୍ଡା): ରାଣୀତାଲ-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଭୀମନାଥପୁର ଛକ ନିକଟରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ରଶ୍ମୀରଞ୍ଜନ ବେହେରା (୩୬)। ଘର ଖଇରା ଥାନା ଅମରିଆ ପଞ୍ଚାୟତ ଅଧୀନ ସିଙ୍ଗିଡ଼ି ଗ୍ରାମରେ। ଆଜି ସକାଳେ ନିଜର ୬ ବର୍ଷର ପୁଅକୁ ବାଣପୁର ସରସ୍ବତୀ ଶିଶୁ ମନ୍ଦିରରେ ଛାଡ଼ି ନିଜ ଘରକୁ ଫେରୁଥିବା ସମୟରେ କୁପାରୀରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ବୋଲେରୋ (୦୧ଏଏ୪୧୪୭ ) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ। ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ସୋର-କୁପାରୀ ରାସ୍ତା ଅବରୋଧ କରିଛନ୍ତି।