କେନ୍ଦୁଝର,୨୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ବୋନାଯୋଡି ବୁଲାଣି ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଦାପାଳ ପଞ୍ଚାୟତ ବରଦାପାଳ ଡୁମୁରିବାଳି ସାହିର ରଘୁନାଥ ସୋରେନ ମାଝୀ(୨୭)।
ସେ ବନାଯୋଡି ସ୍ଥିତ ଯୋଗୀମଠ ନର୍ସରୀରେ ରହି କାମ କରୁଥିଲେ। ସାଇକେଲରେ ଯାଉଥିବା ବେଳେ ବନାଯୋଡି ବୁଲାଣି ନିକଟରେ ଜଣେ ବାଇକ ଆରୋହୀ ଭାରସାମ୍ୟ ହରାଇ ସାଇକେଲକୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ପଡି ଗୁରୁତର ହୋଇଥିଲେ। ଏପରିକି ବାଇକ୍ ଆରୋହୀ ମଧ୍ୟ ରାସ୍ତାରେ ପଡି ଆହତ ହୋଇଛନ୍ତି।
ଆମ୍ବୁଲାନ୍ସ ଯୋଗେ ସ୍ବେଚ୍ଛାସେବୀ ରବିନ୍ଦ୍ର ଫୈଜି ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ରଘୁନାଥଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସଦର ଥାନା ଏଏସ୍ଆଇ ସତ୍ୟଜିତ ନାୟକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ସାଇକେଲ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଥାନାରେ ଏକ ମାମଲା (ନଂ.୧୮୨/୨୦୨୫) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି।


