Categories: ଫୁରସତ

ସାଇବର ଅପରାଧୀ ବ୍ୟାକରଣ ପଢ଼ିବେ

ନାଗପୁର: ସାଇବର ଅପରାଧୀ ପଢ଼ିବେ ବ୍ୟାକରଣ ପାଠ। ଆଉ ସେମାନଙ୍କୁ ଏଇ ପାଠ ପଢ଼ାଇବେ ନାଗପୁର ପୋଲିସ୍‌। ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ଏମିତି ଏକ ଟୁଇଟ୍‌ କରି ଜଣାଇଛି ନିଜେ ପୋଲିସ୍‌। ଏଭଳି ଏକ କଥା ଶୁଣି ସମସ୍ତଙ୍କୁ ଅଡୁଆ ଲାଗୁଥିବ ନିଶ୍ଚୟ। କିନ୍ତୁ ଲୋକଙ୍କୁ ସତର୍କ କରିବା ପାଇଁ ପୋଲିସ୍‌ ଏଭଳି ଏକ ଭିନ୍ନ ଢଙ୍ଗରେ ଟୁଇଟ୍‌ କରିଛି।
ସାଇବର ଅପରାଧୀଙ୍କ ଉଦ୍ଦେଶ୍ୟରେ ନାଗପୁର ପୋଲିସ୍‌ ଏକ ଟୁଇଟ୍‌ କରି କହିଛି ଯେ, ”ହେ ସ୍କାମରମାନେ, ଆମେ ତୁମକୁ ଗ୍ରାମାର ପଢାଇବାକୁ ଚାହୁଁଛୁ।“ ଏହାପରେ ପୋଲିସ୍‌ ଏକ ହେଲ୍‌ପ ଲାଇନ୍‌ ନମ୍ବର ଦେଇ କହିଛି କି, ଏହି ନମ୍ବରରେ ଫୋନ୍‌ କଲେ ସାଇବର ସେଲ୍‌ ଅଫିସରମାନେ ତୁମ ଘର ପାଖରେ ପହଞ୍ଚିଯିବେ ଏବଂ ସେମାନେ ମାଗଣାରେ ଲକ୍‌ଅପ୍‌ରେ ରଖିଦେବେ। ପୋଲିସ୍‌ର ଏମିତି ଏକ ମଜାଦାର ଢଙ୍ଗରେ ଟୁଇଟ୍‌ କରିବା ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କାରଣ ହୋଇଛି। ପୋଲିସର ଏହି ଟୁଇଟ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବହୁସଂଖ୍ୟାରେ ଲୋକେ ଏହି ଟୁଇଟ୍‌କୁ ଲାଇକ୍‌ କରିବା ସହିତ ଶେୟାର ବି କରୁଛନ୍ତି। ପୋଲିସ୍‌କୁ ମଧ୍ୟ ଲୋକେ ସୁନ୍ଦର କମେଣ୍ଟ ଦେଉଛନ୍ତି। କିଛି ଲୋକ ତ ପୋଲିସର ଏଭଳି ପଦକ୍ଷେପ ନେଇ ଆଶ୍ଚର୍ଯ୍ୟ ହେବା ସହିତ ପ୍ରଶଂସା କରିଛନ୍ତି।
ନାଗପୁର ପୋଲିସର ଏଭଳି ଟୁଇଟ୍‌ ଏବେ ଭାଇରାଲ୍‌ ହେବା ପରେ ଲୋକେ ସାଇବର ଅପରାଧୀ ନେଇ ସତର୍କ ହୋଇଛନ୍ତି। ତେବେ ଅଧିକରୁ ଅଧିକ ସଂଖ୍ୟାରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୋଲିସ୍‌ ଏଭଳି ଏକ ଭିନ୍ନ ଢଙ୍ଗରେ ଟୁଇଟରର ସାହାରା ନେଇଥିଲା ବୋଲି ସଫେଇ ଦେଇଛି। ଲୋକେ ଅଧିକ ସଂଖ୍ୟାରେ ଏହି ଖବର ଜାଣିବା ହିଁ ଏବେ ପୋଲିସ ପାଇଁ ଏକ ସଫଳତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share