ଡିଜିଟାଲ ଦୁନିଆରେ ବଢୁଛି ସାଇବର କ୍ରାଇମ୍‌

ମୋରଡ଼ା,୨ା୧୦(ସ୍ମାରକ ମାଜୀ): ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍‌ ବଢ଼ିଚାଲିଛି। ସାଇବର ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚିତ୍ରଡ଼ା ପଞ୍ଚାୟତରୁ ଆରମ୍ଭ ହୋଇଛି। ମୋରଡ଼ା ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ପୌରୋହିତ୍ୟରେ ଚିତ୍ରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଓଡିଶା ପୋଲିସ ସରକାରଙ୍କର ଅନ୍ୟାନ୍ୟ ବିଭାଗ ତଥା ପ୍ରମୁଖ ବ୍ୟାଙ୍କମାନଙ୍କ ସହିତ ମିଶି ଚଳିତ ଅକ୍ଟୋବର ମାସରେ ଏହି ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ସର୍ବଦା ଶକ୍ତିଶାଳୀ ପାସଓ୍ବାର୍ଡର ବ୍ୟବହାର ଏବଂ ଉକ୍ତ ପାସଓ୍ବାର୍ଡ କାହାରିକୁ ପ୍ରକାଶ ନ କରିବା, ଇଣ୍ଟରନେଟରେ ବ୍ୟକ୍ତିଗତ ସୂଚନା ଓ ଫଟୋ ଶେୟାର କରିବା ସମୟରେ ସତର୍କ ଅବଲମ୍ବନ, ଅଜଣା ବ୍ୟକ୍ତିଙ୍କୁ ଠିକଣା ନ ଦେବା, ପରିଚୟ ପ୍ରମାଣ ବିବରଣୀ, ଆକାଉଣ୍ଟ ନମ୍ବର, ଏଟିଏମ୍‌ କାର୍ଡର ବିବରଣୀ ନ ଦେବା, ଅନ୍‌ଲାଇନ ମାଧ୍ୟମରେ ବନ୍ଧୁ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ ନ କରିବା ଇତ୍ୟାଦି ବାବଦରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ, ଦୀନବନ୍ଧୁ ଦେହୁରୀ,ମଞ୍ଜୁଲତା ବେହେରା, ଲକ୍ଷ୍ମୀପ୍ରିୟା ରାଉତ, ବିନତା ଥୟାଲ, ସାଲଖାନ ମାଝୀ, ଦୀପକ କୁମାର ବାରିକ, ଗୋବିନ୍ଦ ସାହୁ, ପିଥ ହେମ୍ବ୍ରମ ପ୍ରମୁଖ ମୋରଡ଼ା ଥାନା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ବିଷ୍ଣୁପ୍ରିୟା ଦାସ, ସାଇବନ୍ଦନା ବେହେରା ଓ଼ ଚିତ୍ରଡା,ହଳଦୀପାଳ ପଞ୍ଚାୟତର ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ଏକ ସଚେତନତା ରାଲି ମୋରଡ଼ା ପୋଲିସ ଦ୍ୱାରା କରାଯାଇଥିଲା। ସାଇବର କ୍ରାଇମ ବାବଦରେ ବିଭିନ୍ନ ପ୍ଲାକାର୍ଡ ଧରି ପୋଲିସ କର୍ମଚାରୀ,ଏସ୍‌ଏଚ୍‌ଜି ମହିଳାମାନେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।