ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ ଦେବଗଡ ଜିଲା ରିଆମାଳ ଥାନା ଅଂଚଳର ୩ ଜଣ ସାଇବର ଠକ ଗୁରୁବାର ଗିରଫ ହୋଇଛନ୍ତି । ଭୁବନେଶ୍ୱର କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଦଳ ଚଢଉ କରି ସେମାନଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ରିଆମାଳର ଲାଲା ବସନ୍ତରା (୨୧), ଚିନ୍ମୟ ସାହୁ (୧୯) ଏବଂ ମାନସ କୁମାର ସାହୁ (୩୦) ବୋଲି ଜଣାପଡିଛି । ରିଆମାଳ ସଦର ମହକୁମାରେ ଲାଲା ଏକ ସେଲୁନ ଦୋକାନ ଖୋଲିଥିବା ବେଳେ ଏଭଳି ଅପରାଧରେ ସାମିଲ ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୩ ଟି ମୋବାଇଲ, ଗୋଟିଏ ଏସବିଆଇ ଏଟିଏମ ଏବଂ ଉଦ୍ୟମ ପଞ୍ଜିକୃତ ପ୍ରମାଣପତ୍ର ଜବତ କରାଯାଇଛି । ସେମାନେ ଅସଲି ଟ୍ରେଡିଂ କମ୍ପାନୀର ଫେକ ଆପ ତିଆରି କରି ଲୋକଙ୍କୁ ମିଛସତ କହି ୱାଟ୍ସଅପ ଗ୍ରୁଫରେ ସାମିଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିଲେ । ଭୁବନେଶ୍ୱର ଏୟାର-ଫିଲ୍ଟ ଥାନା ଅଂଚଳରେ ରହୁଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ପ୍ରକାଶ କୁମାର ମହାପାତ୍ର ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇର ଶିକାର ହୋଇଥିବା ନେଇ ସାଇବର କ୍ରାଇମ୍ ଏବଂ ଇକୋନୋମିକ ଅଫେନ୍ସ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଥିବା ବେଳେ ଉକ୍ତ ସାଇବର ଠକେଇ ନେଟୱାର୍କର ୩ ଜଣ ଯୁବକଙ୍କୁ ଗିରଫ କରିଛି । ଏଥିରେ ଅନେକ ଅଭିଯୁକ୍ତ ସାମିଲ ଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଛି । ପୋଲିସ ଗୁରୁବାର କୋର୍ଟଚାଲାଣ କରିଥିବା ଜଣାପଡିଛି ।

