ଅଙ୍ଗନୱାଡି କର୍ମୀଙ୍କୁ ଢାଲ କରି ସାଇବର ଠକେଇ

ବରଗଡ଼ ଅଫିସ୍‌,୧୪।୩: ବରଗଡ଼ ଜିଲାରେ ଅଙ୍ଗନୱାଡ଼ି କର୍ମୀଙ୍କୁ ଢ଼ାଲ କରି ଜଣେ ହିତାଧିକାରୀଙ୍କଠାରୁ ୪୫୦୦ ଟଙ୍କା ଠକେଇ ହୋଇଛି। ଏ ନେଇ ସୋମବାର ବରଗଡ଼ ବ୍ଲକ ତୋରା ପଞ୍ଚାୟତ ଧାନ ମିଲ୍‌ପଡ଼ା ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ବିଦ୍ୟୁତଲତା ଭୋଇ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଛନ୍ତି। ଏତଲା ପାଇବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ଗତ ୧୦ତାରିଖ ଦିନ ୧୨ଟା ୨୮ମିନିଟରେ ବିଦ୍ୟୁତଲତାଙ୍କ ମୋବାଇଲ ଫୋନକୁ ଏକ ଅଜଣା ନମ୍ବର ୭୪୫୨୦୪୬୫୪୦ରୁ ଏକ ଆସିଥିଲା । ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନରେ ରହିଥିବା ହିତାଧିକାରୀଙ୍କୁ ରାଶନ ସାମଗ୍ରୀ ଦେଉନାହଁ ବୋଲି ସମ୍ପୃକ୍ତ ଅଜଣା ଲୋକ କହିଥିଲେ। ପରେ ଠକ ଜଣକ କନଫରେନ୍ସ କରିଥିଲେ ଏବଂ ବିଦ୍ୟୁତଲତାଙ୍କ କଲ୍‌କୁ ମ୍ୟୁଟ୍‌ କରି ହିତାଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ୮ହଜାର ଟଙ୍କା ପାଇବାର ପ୍ରଲୋଭନ ଦେଖାଇଥିଲେ। ଏହାପରେ ହିତାଧିକାରୀଙ୍କଠାରୁ ଗୁଗୁଲ୍‌ ପେ ମାଧ୍ୟମରେ ସମ୍ପୃକ୍ତ ଠକ ଜଣକ ୪୫୦୦ ଟଙ୍କା ନେଇଯାଇଥିଲେ। ବର୍ତ୍ତମାନ ସମ୍ପୃକ୍ତ ହିତାଧିକାରୀ ତାଙ୍କୁ ସେହି ଟଙ୍କା ଫେରାଇବାକୁ କହୁଥିବା ବିଦ୍ୟୁତଲତା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଠକ ଅନ୍ୟ କିଛି ହିତାଧିକାରୀଙ୍କୁ ମଧ୍ୟ ସେଭଳି ପ୍ରଲୋଭନ ଦେଖାଇଥିବା ସେ ଜାଣିବାକୁ ପାଇଥିବା ବିଦ୍ୟୁତଲତା କହିଛନ୍ତି। ଫଳରେ ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୋଲିସକୁ ନିବେଦନ କରିଛନ୍ତି।