ଶିଳ୍ପାନୁଷ୍ଠାନର ପାଣି ପାଇପ ପାଇଁ ଗଛ କଟା

କଳିଙ୍ଗନଗର,୧୧ା୮(ଶୁଭାଶିଷ ରାଉତ): କିଛି ମାସ ତଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ପଙ୍କପାଳସ୍ଥିତ ଇଡ୍‌କୋ ପମ୍ପ ହାଉସ ନିକଟରେ ଅନେକ ଗଛ କଟାଯାଇଥିଲା। ବନ ବିଭାଗ ଅନୁମତି ମିଳିବା ପୂର୍ବରୁ ତରବରିଆ ଭାବେ ଗଛଗୁଡ଼ିକ କାଟି ଦିଆଯାଇଥିଲା। ଏହାପରେ ଯଖପୁରା ଥାନା ନିକଟରେ ଲାଗିଥିବା ଗଛଗୁଡ଼ିକ ଶିଳ୍ପାନୁଷ୍ଠାନରେ ପାଣି ପାଇପ ଲାଇନ ବିଛାଇବା ପାଇଁ କାଟି ଦିଆଯାଉଛି। ଏକ ଅଣ ଓଡ଼ିଆ ଠିକା ସଂସ୍ଥା ଏହାକୁ କାଟି ପାଇପ ଲାଇନ ପକାଇବା ପାଇଁ ଠିକା ନେଇଛି। ବନ ବିଭାଗ ଅନୁମତିରେ ଏହା କଟାଯାଉଥିବା ଠିକା ସଂସ୍ଥା ସୂଚନା ଦେଇଛି। ତେବେ ଶିଳ୍ପାଞ୍ଚଳରେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବିପୁଳ ପରିମାଣର ଚାରାରୋପଣ ଆବଶ୍ୟକ ହେଉଥିବାବେଳେ ଯେଉଁଠି ଗଛ ଅଛି ଠିକ ସେହି ସ୍ଥାନରେ ଗଛ କାଟି ପାଇପ ଲାଇନ ବିଛାଇବା କେତେଦୂର ସମୀଚୀନ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଟମକା ବନାଞ୍ଚଳ ଅଧିକାରୀ ଶଶିଭୂଷଣ ବେହେରାଙ୍କୁ ପଚାରିବାରୁ ସେ ଠିକ ଭାବେ କେତେ ଗଛ କଟାଯିବ କହି ପାରି ନ ଥିଲେ, ଖାତା ଦେଖି କହିବେ ବୋଲି କହିଛନ୍ତି।