ଉତ୍ତପ୍ତ ଅଞ୍ଚଳରେ ଅବାଧ ଗଛକଟା

ବାରିପଦା ଅଫିସ, ୨୩।୪: ମୟୂରଭଞ୍ଜ ଜିଲାରେ ଶିମିଳିପାଳ ଅଭୟାରଣ୍ୟ ଭଳି ଜୈବ ମଣ୍ଡଳ ଥିବା ବେଳେ ବାରିପଦା ବିଶ୍ୱର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଅସହ୍ୟ ଗୁଳୁଗୁଳି ସହ ଆକାଶରୁ ଅଗ୍ନିବର୍ଷା ହେବାଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଅସନ୍ତୁଳିତ ପରିବେଶ ଓ ଅବାଧ ଗଛକଟା ଯୋଗୁ ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। ଏନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିବା ସହ ଗଛକଟା ରୋକିବା ଏବଂ ଜିଲାରେ କରତକଳ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ ସଂରକ୍ଷିତ ବନକ୍ଷେତ୍ର ଭାବେ ଶିମିଳିପାଳ ଜୈବ ମଣ୍ଡଳ ପରିଗଣିତ। ଓଡ଼ିଶାର ସର୍ବବୃହତ ଜିଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କି.ମି. ହୋଇଥିବା ବେଳେ ସେଥିମଧ୍ୟରୁ ଶିମିଳିପାଳ ଜୈବ ମଣ୍ଡଳ ୫୫୬୯ ବର୍ଗ କି.ମି. ପରିବ୍ୟାପ୍ତ। ୨୨୭୧.୭୮ ବର୍ଗ କି.ମି. ଶିିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ ରହିଛି। ପରିବେଶବିତ୍‌ମାନଙ୍କ ମତରେ ହିମାଳୟ ପାଦଦେଶସ୍ଥିତ ଉତ୍ତର ପୂର୍ବ ଭାରତ ତଥା ଦକ୍ଷିଣ ଭାରତ ମଧ୍ୟରେ ଶିମିଳିପାଳ ଜୈବମଣ୍ଡଳ ପ୍ରାକୃତିକ ଭାରସାମ୍ୟ ରକ୍ଷାରେ ନିରବଚ୍ଛିନ୍ନ ଭୂମିକା ଗ୍ରହଣ କରିଆସିଛି। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଘଞ୍ଚ ସୁବଜ ବନାନିରେ ଭରପୂର ଶିମିଳିପାଳ ଚତୁଃପାର୍ଶ୍ୱରେ ଗ୍ରୀଷ୍ମର ତାତି ବଢ଼ିଚାଲିଛି। ୮ଦିନ ମଧ୍ୟରେ ଏହା ବୃଦ୍ଧି ପାଇ ୪୫ଡିଗ୍ରୀ ପାର ହେବାକୁ ବସିଛି। ବିଶ୍ୱର ତତଲା ସହର ଭାବେ ବାରିପଦା ରେକର୍ଡ ସୃଷ୍ଟି କରିଛି। ଜିଲାରେ ଦୁଇଟି ଲାଇସେନ୍ସପ୍ରାପ୍ତ କରତକଳ ରହିଥିବା ବେଳେ ଅନେକ ସ୍ଥାନରେ ବେଆଇନ କରତକଳ ଗଢ଼ି ଉଠିଛି। କିଛି ଅସାଧୁ ବ୍ୟକ୍ତି ଶିମିଳିପାଳ ତଥା ଆଖପାଖ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି କରତକଳକୁ ଯୋଗାଇ ଚାଲିଛନ୍ତି ବୋଲି ସଞ୍ଜୟ କୁମାର ବେହେରା, ଜଗନ୍ନାଥ ପରିଡ଼ା, ସୁବାସ ରାଉତ ପ୍ରମୁଖ ପ୍ରକାଶ କରିଛନ୍ତି। ସେହିପରି ଗତ ୧୦ବର୍ଷ ମଧ୍ୟରେ କରତକଳ ଦ୍ୱାରା ସହର ତଥା ଆଖପାଖ ଅଞ୍ଚଳ ବୃକ୍ଷଶୂନ୍ୟ ହୋଇପଡ଼ିଥିବା ରାଧାନାଥ ସିଂ, ମନୋଜ ସିଂ ଓ କୁମୁଦ ଦାସ କହିଛନ୍ତି। ଏହି କରତକଳରେ ଦିନରାତି କାଠଚିରା ହୋଇ ଟ୍ରକ୍‌ ଯୋଗେ ପଡ଼ୋଶୀ ରାଜ୍ୟକୁ ଚୋରାଚାଲାଣ କରାଯାଉଛି। ସେହିପରି ସରକାରୀ କିମ୍ବା ବେସରକାରୀ ଜମିରୁ ବିନା ଅନୁମତିରେ ଗଛ କାଟି ସଫା କରାଯାଉଛି। ଏହିଭଳି ଗଛକଟା ଜାରି ରହିଲେ ୫ବର୍ଷ ପରେ ଜିଲାରେ ତାପମାତ୍ରା ୫୦ଡିଗ୍ରୀ ପାର ହେବ ବୋଲି ସହରବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଜଙ୍ଗଲ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।