ସୌନ୍ଦର୍ଯ୍ୟକରଣ ହେବ କଟକ ରିଂବନ୍ଧ ରାସ୍ତା

କଟକ ଅଫିସ,୪ା୧୧: କଟକ ମହାନଗର ନିଗମ (ସିଏମ୍‌ସି) ତତ୍ତ୍ବାବଧାନରେ ସହରର ରିଂବନ୍ଧ ରାସ୍ତା ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ମେୟର ସୁବାସ ସିଂ ଓ ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ଗୁରୁବାର ରିଂ ବନ୍ଧ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଶିଖରପୁରସ୍ଥିତ ଗୁରୁଦ୍ୱାର ନିକଟରୁ ବିଡାନାସୀ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେବ। ରାସ୍ତା ନବୀକରଣ, ମରାମତି, ରଙ୍ଗୀନ ଫୁଟପାଥ୍‌ ନିର୍ମାଣ, ଡିଭାଇଡର ସୌନ୍ଦର୍ଯ୍ୟକରଣ ଏବଂ ଆଗନ୍ତୁକଙ୍କ ଉଦ୍ଦେଶ୍ୟରେ ସିମେଣ୍ଟ ବେଞ୍ଚ ବ୍ୟବସ୍ଥା କରାଯିବ। ଏଥିସହ ଅଧିକ ଖାଲି ସ୍ଥାନ ଥିବା ଅଞ୍ଚଳରେ ପାର୍କ ସଦୃଶ ଛୋଟ ଚିତ୍ତବିନୋଦନ ପଏଣ୍ଟ ବ୍ୟବସ୍ଥା ହେବ। ଏହାର ପୂର୍ଣ୍ଣାଙ୍ଗ ନକ୍ସା ବା ଡିପିଆର୍‌ ପ୍ରସ୍ତୁତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌କୁ ଦାୟିତ୍ୱ ଦିଆଯାଇଛି। ସିଏମ୍‌ସିର ପ୍ରୋଗ୍ରାମ ମନିଟରିଂ ୟୁନିଟ୍‌ (ପିଏମୟୁ) କାର୍ଯ୍ୟ ତଦାରଖ କରିବ ବୋଲି ଜଣାପଡିଛି। ନିଗମର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କାମ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ।