କଟକ ମେୟରଙ୍କ ପୋଷ୍ଟର ପୋଡ଼ି

ନବରଙ୍ଗପୁର, (ବି.ପ୍ର.)/ଭୁବନେଶ୍ୱର (ବ୍ୟୁରୋ), ୨୪ା୫: ‘କାମ କର ନଚେତ ମାଲକାନଗିରି ପଠେଇଦେବି’ କଟକ ମେୟର ସୁବାସ ସିଂ ଦେଇଥିବା ଏପରି ମନ୍ତବ୍ୟକୁ ବିରୋଧ କରିଛି ନବରଙ୍ଗପୁର ଜିଲା କଂଗ୍ରେସ। ସୋମବାର ନବରଙ୍ଗପୁର ସହରସ୍ଥିତ କଂଗ୍ରେସ ଭବନରେ ଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ମାଲକାନଗିରି ଜିଲାକୁ କଳାପାଣି ସଦୃଶ ଅପମାନିତ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। କ୍ଷମାପ୍ରାର୍ଥନା ନ କଲେ ଅବିଭକ୍ତ କୋରାପୁଟ ଜିଲାରେ ତାଙ୍କୁ ପଶିବାକୁ ଦିଆଯିବନାହିଁ ବୋଲି ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି। ସୁବାସ ସିଂଙ୍କ ମସ୍ତିଷ୍କ ବିକୃତ ଥିବା ତ୍ରିପାଠୀ କହିବା ସହ କଂଗ୍ରେସ ପକ୍ଷରୁ ତାଙ୍କ ପୋଷ୍ଟର ପୋଡ଼ାଯାଇଛି।
ମାଲକାନଗିରି ଜିଲା ତା’ର ଐତିହ୍ୟ, ଖଣି ଓ ସଂସ୍କୃତିକୁ ନେଇ ଗର୍ବିତ। କଟକ ମେୟର ଏପରି ବୟାନ ଦେଇ କେବଳ ମାଲକାନଗିରି ଜିଲାକୁ ଅପମାନିତ କରିନାହାନ୍ତି ବରଂ ତାଙ୍କର ଏହି ବୟାନ ଅବିଭକ୍ତ କୋରାପୁଟ ଜିଲାବାସୀଙ୍କୁ କଷ୍ଟ ଦେଇଛି। ସୁବାସଙ୍କ ଦୃଷ୍ଟିରେ ଯଦି ମାଲକାନଗିରି ଜିଲା ଅନୁନ୍ନତ ପଛୁଆ, ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ଖବରଦାତା ସମ୍ମିଳନୀରେ ବିଆରଓ ତାପସ ପ୍ରଧାନୀ, ଦିଲୀପ ବେହେରା, ଅବ୍‌ଦୁଲ ଫିରୋଜ, ସତ୍ୟ ନାରାୟଣ ତ୍ରିପାଠୀ, ସୁରଜ ଲାଲ, ବାସୁଦେବ ପଟ୍ଟନାୟକ ଓ ମୁନା ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ। ରବିବାର ମାଲକାନଗିରିରେ ମଧ୍ୟ ସୁବାସ ସିଂଙ୍କ ଏହି ବୟାନକୁ ବିରୋଧ କରାଯାଇଥିଲା। ସେ କ୍ଷମା ନ ମାଗିଲେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯିବ ବୋଲି ମାଲକାନଗିରି ଜିଲା କଂଗ୍ରେସ ପକ୍ଷରୁ କୁହାଯାଇଥିଲା।
ଅନ୍ୟପକ୍ଷରେ କଟକ ମେୟର ସୁବାସ କହିଛନ୍ତି ଯେ, କଂଗ୍ରେସ ଜୀବନରେ କିଛି କରିନାହିଁ। ବିକାଶ ପ୍ରତି ସେମାନଙ୍କ ନଜର ମଧ୍ୟ ନାହିଁ। ଖାଲି ଅବାସ୍ତବ କଥା କହି ସେମାନେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମାଲକାନାଗିରି ହେଉଛି ଦ୍ରୁତ ବିକାଶ ଦିଗରେ ଗତି କରୁଥିବା ଜିଲା। ଏହି ଜିଲା ବର୍ତ୍ତମାନ ସାରା ଦେଶ ପାଇଁ ଉଦାହରଣ ପାଲଟିଛି। ଏହି ଜିଲାରେ ବହୁ ଦକ୍ଷ ଅଫିସର କାମ କରୁଛନ୍ତି। ସେଠାକୁ ଗଲେ ଜଣେ ଅଧିକାରୀ ଭଲ କାମ ଶିଖିପାରିବ। କାରଣ ବହୁ ସରକାରୀ କର୍ମଚାରୀ ଘର ପାଖରେ ରହିବେ, ଦୂରକୁ ଯିବାକୁ ଜମା ରାଜିନାହାନ୍ତି। କଟକ ସହରର ରାସ୍ତା ଉପରେ ପାଣି ପାଇପ୍‌ ଟି ଫାଟିଗଲା। ସେଠାରେ ଖାଲ ହୋଇପଡିଛି। ଜଣେ ସ୍କୁଟରଟିଏ ଧରିକି ଗଲେ ସେଠାରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ୪ ମାସ ହେଲାଣି କାହିଁକି ସେହି କାମ ହୋଇ ନାହିଁ ବୋଲି ପଚାରିବା ସହ ମାଲକାନାଗିରି ପଠାଇ ଦେବେ ବୋଲି କହିଥିଲେ। ସେଠାକୁ ଗଲେ ଭଲ କାମ ଶିଖିପାରିବାର ସମ୍ଭାବନା ଥିବାରୁ ଏକଥା କହିଥିଲେ। ତାଙ୍କର ବଦଳି କରିବାର କ୍ଷମତା ନାହିଁ, କେବଳ ଚିଠି ଲେଖିପାରିବେ। କଂଗ୍ରେସ ବିକାଶ କ’ଣ ଜାଣିନି। ତେଣୁ ଅଯଥା ଏବଂ ଅବାସ୍ତବ କଥା କାହି କଂଗ୍ରେସ ରାଜନୀତି କରିବା ଛାଡୁ ବୋଲି ସେ କହିଛନ୍ତି।