ଖଣ୍ଡାରେ ଜନ୍ମଦିନ କେକ୍‌ କାଟିଲେ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜଧାନୀରେ ଆଉଏକ ଗ୍ୟାଙ୍ଗ ମୁଣ୍ଡ ଟେକିଥିବା ଜଣାପଡ଼ିଛି। ୮ରୁ ଊର୍ଦ୍ଧ୍ୱ ଯୁବକ ଖଣ୍ଡାରେ କେକ୍‌ କାଟି ଜନ୍ମଦିନ ପାଳୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାପରେ ଅଧିକ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ଏୟାରଫିଲ୍ଡ ଥାନା ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏପରି ଜନ୍ମଦିନ ପାଳନ କରାଯାଇଥିବାବେଳେ ତାହାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଉକ୍ତ ଗୋଷ୍ଠୀ। ତେବେ ଏହି ଭିଡିଓ କେଉଁଦିନର ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ୩ରୁ ୪ଦିନ ତଳର ବୋଲି କୁହାଯାଉଛି। ତେବେ ସମ୍ପୃକ୍ତ ଯୁବକମାନଙ୍କୁ ଚିହ୍ନଟ କରିବା କମିଶନରେଟ ପୋଲିସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏପରିକି ମାରଣାସ୍ତ୍ରରେ କେକ୍‌ କାଟୁଥିବା ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ହେଉଛି। ଏନେଇ ଏୟାରଫିଲ୍ଡ ଥାନାଧିକାରୀ ଅଶୋକ ନାୟକ କହିଛନ୍ତି, ଭିଡିଓ ସାମ୍ନାକୁ ଆସିବା ପରେ ଏହାର ସତ୍ୟତା ଓ ଆପରାଧିକ ଦିଗକୁ ଯାଞ୍ଚ କରାଯାଉଛି। ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ଏକାଧିକ ଗ୍ୟାଙ୍ଗ ଓ ଅସାମାଜିକ ଗୋଷ୍ଠୀ ରାସ୍ତାରେ ଖଣ୍ଡା ବୁଲାଇ ବନ୍ଧା ହୋଇଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନରେ ଖଣ୍ଡାରେ କେକ୍‌ କାଟି ଆତଙ୍କ ସୃଷ୍ଟି କରିବା ସହ ଆପରାଧିକ ଉପସ୍ଥିତ ଜାହିର କରିବାକୁ ଚେଷ୍ଟା କରିଥିବା ନଜିର ରହିଛି।