ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ମଦ, ପଲିଥିନ ବ୍ୟବହାରରେ କଟକଣା

ପାରଳାଖେମୁଣ୍ଡି,୨୯ା୮(ଗିରିଧାରୀ ପରିଛା): ରାୟଗଡ଼ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳ ପ୍ରପାତ ଅଞ୍ଚଳରେ ନିଶାଦ୍ରବ୍ୟ ବ୍ୟବହାର ନେଇ ବାରଣ କରାଯିବା ସହ ପଲିଥିନ ବ୍ୟବହାରରେ କଟକଣା ନେଇ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଗାରବନ୍ଧ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କୋବିନ ପରିଚ୍ଛାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା। ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜି କରିଥାନ୍ତି। ଏହାସହ ଜଳ ପ୍ରପାତରେ ଗାଧୋଇ ମଜା ନେଇଥାନ୍ତି। ହେଲେ କିଛି ଯୁବଗୋଷ୍ଠୀ ମଦ୍ୟପାନ କରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତରେ ହଙ୍ଗାମା କରୁଥିବାର ବହୁ ନଜିର ରହିଛି । ସେହିପରି ଖାଦ୍ୟପେୟ ନେବା ଆଣିବା ନିମନ୍ତେ ବ୍ୟାପକ ପରିମାଣର ପଲିଥିନ ଆଣି ଜଳପ୍ରପାତ ଅଞ୍ଚଳରେ ଫୋପାଡି ଦେଉଥିବା ଲକ୍ଷ୍ୟ କରାଯାଉଛି। ଏହାଦ୍ବାରା ପରିବେଶ ଦୂଷିତ ହେଉଛି। ଏହି କ୍ରମରେ ସୋମବାର ମିଳିତ ଭାବେ ରାଜସ୍ବ, ପୋଲିସ ଓ ବନ ବିଭାଗର କର୍ମଚାରୀମାନେ ବ୍ୟାପକ ତଲାସୀ ଜାରି ରଖିଥିଲେ। ଯେଉଁମାନେ ମଦ ଧରି ଆସୁଛନ୍ତି ସେମାନଙ୍କୁ ତାଗିଦ କରିବା ସହ ତୁରନ୍ତ ଏହି ଅଞ୍ଚଳରୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ପଲିଥିନ ବ୍ୟବହାରକାରୀଙ୍କୁ ମଧ୍ୟ ବାରଣ କରାଯାଇଥିଲା। ଆଗାମୀ ଦିନରେ ଏପରି ତଲାସୀ କାର୍ଯ୍ୟକ୍ରମ ଜୋରଦାର କରାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।