ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ ଚଳଣିରେ ମାନସିକ ପ୍ରସୂତ ଏକକ ସାମାଜିକ ପ୍ରଥା, ପରମ୍ପରା ପ୍ରଚଳିତ ନୁହେଁ, ଯଦିଓ ସବୁ ମଣିଷ ସମାନ। ଅଞ୍ଚଳ, ଧର୍ମ, ବର୍ଣ୍ଣ, ଜାତି ଆଧାରରେ ‘ପ୍ରଥା ଓ ପରମ୍ପରା’ ଭିନ୍ନ ଭିନ୍ନ ହୋଇଥିବା ଦେଖିବାକୁ ପାଉଛେ। ଅନେକ ପ୍ରଥା, ପରମ୍ପରା ସମୟ ସୁଅରେ ପରିବର୍ତ୍ତନ ହେଉଥିବା ବେଳେ ଅନେକ ଉଭେଇ ଯାଉଥିବା ଦେଖାଯାଉଛି।
ସମୟ ଥିଲା ଝିଅପିଲା ପାଠ ପଢ଼ିଲେ ସମାଜରେ ଅନେକ ଅଘଟଣ ଘଟିବ ବୋଲି ବିଶ୍ୱାସ ଥିଲା। ସମୟ ଥିଲା ସମାଜରେ ବିଧବା ବିବାହ ଦୋଷାବହ ଥିଲା। ସେତେବେଳେ ସମାଜରେ ଯଦି ବିଧବା ବିବାହ କରୁଥିଲା, ସମାଜ ତାକୁ ନାନା ପ୍ରକାର ଦଣ୍ଡ ଦେବା ସହିତ ଆତ୍ମସମ୍ମାନର ସହ ବଞ୍ଚତ୍ବାକୁ ବାଧା ଦେଉଥିଲା। ଆନ୍ତଃଜାତି ବିବାହ ବାରଣ ଥିଲା। ଯେଉଁଠି ଆନ୍ତଃଜାତି ବିବାହ ହେଉଥିଲା, ତାକୁ ନେଇ ଅନେକ ହିଂସା ସୃଷ୍ଟି ହେଉଥିଲା। ଅନେକଙ୍କ ଅସହଯୋଗ ଭାବନା ଯୋଗୁ, ଅନେକଙ୍କ ବିଦ୍ରୂପ ପାଇଁ ଏପରି କାର୍ଯ୍ୟ କରିଥିବା ଦମ୍ପତିଙ୍କ ଜୀବନ ଦୁର୍ବିଷହ ହୋଇଥିବା ଦେଖାଯାଉଥିଲା। ଏବେ ଯଦିଓ କେଉଁଠି କେମିତି ଆନ୍ତଃଜାତି ବିବାହ ଗ୍ରହଣ ଯୋଗ୍ୟ ହେଉ ନାହିଁ ତଥାପି ଅନେକ ସ୍ଥାନରେ ଆନ୍ତଃଜାତି ବିବାହ ବ୍ୟବସ୍ଥିତ ଢଙ୍ଗରେ ହେଉଥିବା ଦେଖାଯାଉଛି।
ସମୟ ଥିଲା ଠାକୁର ପାଖରେ ଅନ୍ନ ଭୋଗ ହେଉଥିଲା, ସେତେବେଳେ ଢିଙ୍କିକୁଟା ଚାଉଳ ବ୍ୟବହାର ହେଉଥିଲା, କଳକୁଟା ଚାଉଳ ବାରଣ ଥିଲା। ପରେ ପରେ ଠାକୁରଙ୍କ ପାଖେ ଭୋଗ ପାଇଁ କେବଳ ଅଳପଟିକେ ଢିଙ୍କିକୁଟା ବ୍ୟବହାର ହେଲା, ବଣ୍ଟାହେବାକୁ ଥିବା ଭୋଗ ପାଇଁ କଳକୁଟା ଚାଉଳ ବ୍ୟବହାର ହେଲା। ଏବେ ଢିଙ୍କି ଆଉ ନାହିଁ। ତେଣୁ ଠାକୁରଙ୍କ ପାଖେ ଅପେକ୍ଷାକୃତ ଦାମିକା ଚାଉଳ ଭୋଗ ପାଇଁ ବ୍ୟବହାର ହେଉଥିବା ବେଳେ ଅନ୍ୟମାନେ ଭୋଗ ଗ୍ରହଣ କରିବା ପାଇଁ କମ୍‌ ଦାମ୍‌ର ଚାଉଳ ବ୍ୟବହାର ହେଉଥିବା ଦେଖାଯାଉଛି। ସମୟ ବଦଳୁଛି, ପ୍ରଥା ଓ ପରମ୍ପରା ମଧ୍ୟ ବଦଳୁଛି।
ଅନେକ ସମୟରେ କଥା ଉଠେ ଶ୍ରୀମନ୍ଦିରକୁ ବିଦେଶୀ ଭକ୍ତଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁମତି ଦେବା ଉଚିତ। ସେ ସମୟ ଆଉ ନାହିଁ ଠାକୁରଙ୍କ ଉପରେ ଆକ୍ରମଣର ଆଶଙ୍କା ନାହିଁ। ବିଦେଶୀ ଭକ୍ତ ପ୍ରବେଶ ସପକ୍ଷରେ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ସହମତି ପ୍ରକାଶ କରୁଥିବା ଗଣମାଧ୍ୟମରୁ ଜଣାଯାଏ। ଆମେ ଏହାକୁ ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିପାରିବା ନାହିଁ। ହୁଏତ ବିଚାରର ବିଷୟ ହୋଇପାରେ। ସେହିପରି ଜଗନ୍ନାଥଧାମ ବାହାରେ ରଥଯାତ୍ରା ପାଳନକୁ ନେଇ କିଛି ଅସନ୍ତୋଷ ପ୍ରକାଶ ପାଇଛି। ପୁରୀକୁ ଛାଡ଼ି ଓଡ଼ିଶା ମଧ୍ୟରେ, ଆମ ଦେଶ ମଧ୍ୟରେ ଆଉ ଦେଶ ବାହାରେ ଅନେକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି। ସେସବୁ ମନ୍ଦିର ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥାଇପାରନ୍ତି ବା ନ ଥାଇପାରନ୍ତି ମଧ୍ୟ। କିନ୍ତୁ ଜଗନ୍ନାଥ ତ ଜଗତର, ସାରା ବିଶ୍ୱରେ ଯେତେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠିତ ହେବ, ତାହା ଜଗନ୍ନାଥ ସଂସ୍କୃତିକୁ ସେତେ ପ୍ରଚାର, ପ୍ରସାର କରିବ। କିନ୍ତୁ କେତେକ ସ୍ଥାନରେ ଅତିଥିରେ ରଥଯାତ୍ରା ହେଉଥିବାରୁ ତାହା ବହୁ ଜଗନ୍ନାଥ ଭକ୍ତଙ୍କୁ ବ୍ୟଥିତ କରିଛି। ଜଗଦ୍‌ଗୁରୁ ଶଙ୍କାରାଚାର୍ଯ୍ୟ, ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ ଏପରି ନ କରିବାକୁ ବାରଣ କରିଛନ୍ତି। ତାହାକୁ ଆମ ଦେଶ ବାହାରେ କେହି ମାନିଲେ ଠିକ୍‌ ବା ନ ମାନିଲେ ଠିକ୍‌ ବୋଲି ମନେହୁଏ। ତାହାକୁ ବେଶି ଆଲୋଚନା କରିବା ଉଚିତ ନୁହେଁ। ଯଦି ପୁରୀଧାମ ବାହାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି ତାହା କ’ଣ ପୁରୀ ଜଗନ୍ନାଥ ମନ୍ଦିରର ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି? ତେବେ ଅଦିନରେ ରଥଯାତ୍ରା ହେଲେ ତାହା କାହିଁକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ମର୍ଯ୍ୟାଦା କ୍ଷୁଣ୍ଣ କରିବ, ପୁଣି ଏ ସାମାଜିକ ଗଣମାଧ୍ୟମ ଯୁଗରେ। ଆମେ ଦେଖୁ ବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀ ଓଡ଼ିଶାର ପର୍ବପର୍ବାଣି ପାଳନ କରିଥାନ୍ତି ଅଦିନରେ, ସେ ସ୍ଥାନର ସୁବିଧା ସୁଯୋଗକୁ ନେଇ। କଥାରେ ଅଛି, ବୁଝ ନ ବୁଝ ପଢ଼ ଗୀତା, ରୁଚୁ ନ ରୁଚୁ ଖାଆ ପିତା। ତେଣୁ ବିଦେଶରେ ସେଠାକାର ପ୍ରଶାସନର ଅନୁମତିରେ ରଥଯାତ୍ରା ହେବା ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ।
ଏହି ନିକଟରେ ଚନ୍ଦ୍ରଗ୍ରହଣ ବେଳେ, ସୂର୍ଯ୍ୟୋପରାଗ ବେଳେ ଖାଦ୍ୟ ଖାଇବା ତଥା ଆମିଷ ଭକ୍ଷଣକୁ ନେଇ ସମାଜରେ ଅନେକ ଦ୍ୱିମତ ଦେଖିବାକୁ ମିଳିଲା। କେହି କେହି ଅଭିଯୋଗ କଲେ, ଏହା ଆମ ବିଶ୍ୱାସ, ପ୍ରଥା, ପରମ୍ପରାକୁ ଆଘାତ ଦେଉଛି। ଯଦିଓ ଏହା ଏକ ଛାଇ, ଏହାର କୌଣସି କୁପ୍ରଭାବ ସମାଜ ଉପରେ ନାହିଁ, ତାହା ବୁଝାଇବା ଦରକାର, କାହାର ବିଶ୍ୱାସକୁ ସିଧାସଳଖ ଆଘାତ ଦେଇ ସମାଜରେ ପ୍ରଗତିଶୀଳ ଚିନ୍ତନକୁ ପ୍ରଚଳିତ କରିବା ସହଜ ନୁହେଁ।
ସମୟ ସୁଅରେ ଅନ୍ଧବିଶ୍ୱାସ, କୁସଂସ୍କାର ଦୂର ହେବା, ଆଉ ପ୍ରଗତିଶୀଳ ଚିନ୍ତନକୁ ପ୍ରଚଳନ କରିବାକୁ ଚେଷ୍ଟା କରିବା ଏକା କଥା ନୁହେଁ। ଇତିହାସ ସାକ୍ଷୀ ଯେଉଁମାନେ ପ୍ରଗତିଶୀଳ ଚିନ୍ତନକୁ ତୋଳି ଧରିଛନ୍ତି, ସେମାନେ ଅନେକ ଯନ୍ତ୍ରଣା ସହିଛନ୍ତି। ସମାଜ ସାମଗ୍ରିକ ଭାବେ ଶିଶୁସୁଲଭ। ଛୋଟ ଶିଶୁଟିଏକୁ ଯେପରି ଠିକ୍‌ କଥାକୁ ଗ୍ରହଣ କରିବାକୁ ଯତ୍ନର ସହିତ ଚେଷ୍ଟା କରାଯାଏ, ସେହିପରି ସମାଜରୁ ଅବିଚାର ଦୂର କରିବା ତ ଅନେକ ପିଢ଼ିର ଅପେକ୍ଷା।
କୌଣସି ବି ଭୁଲ୍‌ ବା ଠିକ୍‌ ବିଶ୍ୱାସରେ ସମାଜ ଯେତେବେଳେ ବ୍ୟବସ୍ଥିତ ହୋଇରହିଥାଏ, ସେ ବ୍ୟବସ୍ଥା ଉପରେ ଯେତେବେଳେ ଆଘାତ ହୁଏ, ସମାଜ ପ୍ରତିକ୍ରିୟାଶୀଳ ହୋଇଉଠେ। ଦିନେନା ଦିନେ ସମାଜ ଠିକ୍‌ କଥାକୁ ହିଁ ଗ୍ରହଣ କରିଥାଏ। କେହି ନିଜର ବ୍ୟକ୍ତି ମୃତ୍ୟୁବରଣ କଲେ, ଆମେ ଦୁଃଖ ପ୍ରକାଶ ଭିତରେ ହିଁ ଶବ ସତ୍କାର କରିଥାଉ। କୌଣସି ପ୍ରଥା, ପରମ୍ପରା ଅବିଶ୍ୱାସ ଉପରେ ରହିଥିଲେ ମଧ୍ୟ ସମାଜ ପ୍ରତିକ୍ରିୟାଶୀଳ ହେବା ମଧ୍ୟରେ ହିଁ ତାହାକୁ ଆଜି ନ ହେଲେ କାଲି ଦୂରେଇ ଦେବ।
ପିଲାଟିଏକୁ ମଣିଷ କରିବା ଏକ ନିୟମିତ ପ୍ରକ୍ରିୟା, ସେହିପରି ସମାଜକୁ ବିଚାରରେ ପରିମାର୍ଜିତ କରିବା ଏକ ନିରନ୍ତର ପ୍ରକ୍ରିୟା। ପରିବର୍ତ୍ତିତ ପରିସ୍ଥିତିରେ ଆମ ପ୍ରଥା ଓ ପରମ୍ପରା ମଧ୍ୟ ପରିବର୍ତ୍ତନ ହେବା ଜରୁରୀ। ପ୍ରଥା ଓ ପରମ୍ପରା ଯେତେ ସରଳ ହେବ, ତାହା ପାଳନ କରିବାରେ ସେତେ ଆଗ୍ରହ ପ୍ରକାଶ ପାଇବ। ଯେପରି କେକ୍‌ କାଟିବା ଏକ ସହଜ ପ୍ରକ୍ରିୟା, ତାହା ସବୁକ୍ଷେତ୍ରରେ ପାଳନ କରିବାରେ ଆଗ୍ରହ ରଖୁଛେ। ଆମେ ଠିକ୍‌ କଥା କହୁଛେ ବୋଲି ଯେ ସମାଜ କାହା କଥା ସଙ୍ଗେ ସଙ୍ଗେ ଶୁଣିବ ଏପରି କଥା ନୁହେଁ। ଅନେକ ସମାଜ ସଂସ୍କାରକଙ୍କ ଜୀବନୀକୁ ଦେଖିଲେ ପାଇବା ଅସୀମ ଧୈର୍ଯ୍ୟ, ଅତି ସନ୍ତର୍ପଣରେ ସମାଜରେ ସୁବିଚାରର ପ୍ରୟୋଗ। ପ୍ରଗତିଶୀଳ ଚିନ୍ତନକୁ ଗ୍ରହଣ କରିବାରେ, ବିଚାର କରିବାରେ ଆମେ ସମସ୍ତେ ସହନଶୀଳ ହେବା ଉଚିତ।
ଗୋଗଳ, କାଏମା, ଯାଜପୁର
ମୋ: ୯୭୭୭୭୪୯୭୨୭

Odisha’s No.1 Odia Daily