ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ତଥ୍ୟକୁ ସେମାନଙ୍କ ବ୍ୟବସାୟିକ ସମ୍ପତ୍ତି ଭାବେ ବିବେଚନା ନ କରି ଏହାକୁ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ (ଫିଡୁସିଆରି ରେସ୍‌ପନ୍ସିବିଲିଟି) ଭାବରେ ଗ୍ରହଣକରିବା ଉଚିତ ବୋଲି କହିଛନ୍ତି। ଏଥିସହ ଆର୍ଥିକ କ୍ଷେତ୍ରରେ ଦାୟିତ୍ୱବାନ୍‌ ଭାବେ ଗ୍ରାହକ ତଥ୍ୟ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ଫିନ୍‌ଟେକ୍‌ ଫେଷ୍ଟ ୨୦୨୬ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିବା ଅବସରରେ ମାଲହୋତ୍ରା କହିଛନ୍ତି , ୩୦ଟି ୟୁନିକର୍ନ ସହ ଭାରତର ଫିନ୍‌ଟେକ୍‌ କ୍ଷେତ୍ର ବିଶ୍ୱସ୍ତରରେ ୩ୟ ସ୍ଥାନରେ ରହିଛି, ଯାହା ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥାରେ ଦେଶର ବଢୁଥିବା ଭୂମିକାକୁ ଦର୍ଶାଉଛି। ବିଶ୍ୱ ଅର୍ଥନୀତିର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବାରେ ଭାରତ ଏକ ବିଶ୍ୱସ୍ତ ସହଯୋଗୀ ହେବାର ସୁଯୋଗ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପରବର୍ତ୍ତୀ ପିଢ଼ିର ଆର୍ଥିକ ସେବା ପାଇଁ ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକଚର (ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି) ନିର୍ମାଣ କରୁଛୁ। ଏହି କ୍ରମରେ ୟୁନିଫାଇଡ୍‌ ଲେଣ୍ଡିଂ ଇଣ୍ଟରଫେସ୍‌ (ୟୁଏଲ୍‌ଆଇ)ର ଉଦାହରଣ ଦେଇ ମାଲହୋତ୍ରା କହିଛନ୍ତି, ଆର୍‌ବିଆଇ ପରବର୍ତ୍ତୀ ପିଢ଼ିର ଆର୍ଥିକ ସେବା ପାଇଁ ଡିଜିଟାଲ ପବ୍ଲିକ୍‌ ଇନ୍‌ଫ୍ରାଷ୍ଟ୍ରକଚର ନିର୍ମାଣ ଦିଗରେ କାର୍ଯ୍ୟ କରୁଛି। କେନ୍ଦ୍ରୀୟ ବ୍ୟାଙ୍କ ଭାବେ ଆର୍‌ବିଆଇ ଆର୍ଥିକ କ୍ଷେତ୍ର ପାଇଁ ଦ୍ୱିତୀୟ ସ୍ବୟଂ ନିୟାମକ ସଂଗଠନ (ଏସ୍‌ଆରଓ) ଭାବରେ ‘ୟୁନାଇଟେଡ୍‌ ଫିନ୍‌ଟେକ୍‌ ଫୋରମ’କୁ ମଞ୍ଜୁରୀ ଦେଇଛି। ଏହା ପୂର୍ବରୁ ‘ଫିନ୍‌ଟେକ୍‌ ଆସୋସିଏସନ ଫର୍‌ କଞ୍ଜୁମର ଏମ୍‌ପାୱାରମେଣ୍ଟ’ (ଫେସ୍‌)କୁ ଏସ୍‌ଆର୍‌ଓ ଭାବେ ମାନ୍ୟତା ଦିଆଯାଇଛି। କିନ୍ତୁ ଆର୍ଥିକ ବ୍ୟବସ୍ଥାର ସଫଳତା ପାଇଁ ‘ବିଶ୍ୱାସ’ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଫିନ୍‌ଟେକ୍‌ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ତଥ୍ୟକୁ ଦାୟିତ୍ୱର ସହ ପରିଚାଳନା କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Share
Tags: RBI governor