ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫

ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି କରାଯାଇଛି। ଶୈବପୀଠଗୁଡ଼ିକରେ ଗଞ୍ଜେଇ ବ୍ୟବହାରକୁ ବନ୍ଦ କରିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ନେଇ ବିବାଦ ଦେଖାଦେଇଛି। ଅନେକ ଶ୍ରଦ୍ଧାଳୁ, ପୂଜକ ଏହାକୁ ସଂସ୍କୃତି ବିରୋଧୀ ବୋଲି କହିବା ସହ ଶତାଧିକ ବର୍ଷର ଧର୍ମୀୟ ପରମ୍ପରାରେ ଏପରି ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଭକ୍ତଙ୍କ ଭାବନା, ବିଶ୍ୱାସ ସହ ଜଡ଼ିତ ଏପରି ପ୍ରସଙ୍ଗ ଉପରେ ବେଦଜ୍ଞ ପଣ୍ଡିତ, ଧର୍ମୀୟ ଗବେଷକମାନଙ୍କ ମତାମତ ଲୋଡ଼ା ନ ଯାଇ ହଠାତ୍‌ ସରକାର ନିଷେଧାଜ୍ଞା ପାଇଁ ଚିଠି କରିବା ଆଶ୍ଚର୍ଯ୍ୟଜନକ ବୋଲି ସେମାନେ ମତ ଦେଇଛନ୍ତି। ଶୈବପୀଠ ପରିସରରେ ଗଞ୍ଜେଇ ଟାଣିବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏଥିରେ କାହାର ବିରୋଧ କରିବାର ନାହିଁ। ହେଲେ ଠାକୁରଙ୍କ ନୀତିକାନ୍ତିରେ ଏହାର ବ୍ୟବହାରକୁ ରୋକାଯିବା ଅନୁଚିତ ବୋଲି ଅନେକ ଶ୍ରଦ୍ଧାଳୁ ଓ ପୂଜକ ମତବ୍ୟକ୍ତ କରିଛନ୍ତି। ସେହିପରି ଆଉ କେତେଜଣ ସରକାରଙ୍କ ପଦକ୍ଷେପକୁ ଉଚିତ ବୋଲି ଦର୍ଶାଇଛନ୍ତି। ଠାକୁରଙ୍କ ପ୍ରସାଦ ନାମରେ କେତୋଟି ଶୈବପୀଠରେ ଗଞ୍ଜେଇର ଅପବ୍ୟବହାର କରାଯାଉଥିବା ସେମାନେ କହିଛନ୍ତି। ଏଠାରେ ଅନେକ ସମୟରେ ଚିଲମରେ ଗଞ୍ଜେଇକୁ ସେବନ କରାଯାଉଥିବାରୁ ଏହା ବ୍ୟାନ କରାଯିବା ଆବଶ୍ୟକ ବୋଲି ସମ୍ପୃକ୍ତ ଶ୍ରଦ୍ଧାଳୁମାନେ ଯୁକ୍ତି ବାଢ଼ିଛନ୍ତି।