ଓମିକ୍ରନ୍‌ ଆଗରେ ବର୍ତ୍ତମାନର କରୋନା ଟିକା ଅକାମୀ, ମାନିଲେ ଭାକ୍ସିନ୍‌ ନିର୍ମାତା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ଆରମ୍ଭ ହୋଇଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଭୂତାଣୁ ଓମିକ୍ରନ୍‌ର ସ୍ପାଇକ ପ୍ରୋଟିନରେ ବହୁ ପରିବର୍ତ୍ତନ ହୋଇଛି। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ଭୟ କରୁଛନ୍ତି ଯେ କରୋନା ମହାମାରୀ ଲଢ଼େଇରେ ବ୍ୟବହାର କରାଯାଉଥିବା ଟିକାଗୁଡ଼ିକର ପ୍ରଭାବ ହ୍ରାସ ପାଇବାର ଯଥେଷ୍ଟ ଆଶଙ୍କା ରହିଛି।

ମୋଡେର୍ନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଫେନ ବେନସେଲ ସ୍ବୀକାର କରିଛନ୍ତି ଯେ ବର୍ତ୍ତମାନ ଉପଲବ୍ଧ କରୋନା ଭାଇରସ ଟିକା ଓମିକ୍ରନ ଭାରିଆଣ୍ଟ ଉପରେ କମ ପ୍ରଭାବଶାଳୀ ହୋଇପାରେ। ଏହା ସହିତ, ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଉତ୍ପାଦନକାରୀ କମ୍ପାନୀଗୁଡିକୁ ଅନ୍ୟ ଏକ ଟିକା ତିଆରି କରିବା ପାଇଁ କିଛି ମାସ ସମୟ ମଧ୍ୟ ଲାଗିପାରେ। ବେନସେଲ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଓମିକ୍ରନ୍‌ର ସ୍ପାଇକ ପ୍ରୋଟିନରେ ବହୁ ସଂଖ୍ୟକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନୂତନ ପ୍ରକାର ଆଣ୍ଟିବଡିର ଆବଶ୍ୟକତା ରହିଛି।

ଫାଇନାନ୍ସିଆଲ ଟାଇମ୍ସ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଷ୍ଟିଫେନ ବେନସେଲ କହିଛନ୍ତି ଯେ,ବର୍ତ୍ତମାନ ଉପଲବ୍ଧ କରୋନା ଟିକା ଡେଲଟା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହୋଇଥିବାବେଳେ ଓମିକ୍ରନ୍‌ ପାଇଁ ସେତେଦୂର ଉପଯୋଗୀ ହୋଇ ନ ପାରେ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କରୋନାର ଅନ୍ୟାନ୍ୟ ପ୍ରକାର ବିସ୍ତାର ହେଉଛି ଏବଂ ଏହା ବିପଜ୍ଜନକ ହୋଇପାରେ। ଏହି କାରଣରୁ, ବୈଜ୍ଞାନିକମାନେ ମଧ୍ୟ ଆଶଙ୍କା କରୁଛନ୍ତି ଯେ କରୋନା ମହାମାରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ। ବିଶେଷଜ୍ଞମାନେ ମଧ୍ୟ ଭୟଭୀତ ଅଛନ୍ତି ଯେ ଓମିକ୍ରନ୍‌ ଯୋଗୁ ଆକ୍ରାନ୍ତଙ୍କ ବଢ଼ିବାରେ ଆଶଙ୍କା ରହିଛି। ପ୍ରାଥମିକ ପ୍ରମାଣକୁ ଆଧାର କରି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚେତାବନୀ ଦେଇଛି ଯେ କରୋନାର ନୂଆ ରୂପ ଓମିକ୍ରନ ଅଧିକ ଭୟଙ୍କର ହୋଇପାରେ।

Share