କଲଭର୍ଟ ଧୋଇଗଲା, ଯାତାୟାତ ବନ୍ଦ ବାଇକ୍‌ ପାର୍‌ କରାଇବାକୁ ନେଉଛନ୍ତି ୨୦୦ ଟଙ୍କା

ରାଇକିଆ, ୩୧/୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପୋଲ ଭାଙ୍ଗିଯିବା ଯୋଗୁଁ ଜରୁରୀ କାର୍ଯ୍ୟରେ ମଧ୍ୟ ଲୋକେ ରାସ୍ତା ପାର୍‌ ହୋଇପାରୁନାହାନ୍ତି। ଏଭଳି ପରିସ୍ଥିତିରେ ବାଇକ୍‌ ପାର୍‌ କରାଇବା ପାଇଁ କିଛି ଯୁବକ ଆଗେଇ ଆସିଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ମଧ୍ୟ ସେମାନେ ଲୋକଙ୍କୁ ସହାୟତା କରୁଛନ୍ତି। ଆବଶ୍ୟକସ୍ଥଳେ ଏଥିପାଇଁ ୨୦୦ ଟଙ୍କା ପାରିଶ୍ରମିକ ମଧ୍ୟ ନେଉଛନ୍ତି।

ପ୍ରାୟ ୮ରୁ ୧୦ ଜଣ ଯୁବକ ଦିନତମାମ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ମାଲାଗୁଡ଼ା ପୋଲ ନିକଟରେ ଥିବା ଏକ ଛୋଟ ଚେକ୍‌ଡ୍ୟାମ୍‌ ଉପର ଦେଇ ସେମାନେ ବାଇକ୍‌ ପାର୍‌ କରାଇ ଯାତ୍ରୀଙ୍କୁ ସହାୟତା କରୁଛନ୍ତି।

ଅନ୍ୟପକ୍ଷରେ, କଲଭର୍ଟ ମରାମତି କାର୍ଯ୍ୟ ଜାରି ରହିଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଯାତାୟାତ ସ୍ୱାଭାବିକ ହୋଇପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share