ଦିଗପହଣ୍ଡି, ୨୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବର ପ୍ରଥମ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରଛନ୍ତି। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭା ଓ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଭାରତୀୟ ଶାନ୍ତି ମୈତ୍ରୀ ଓ ସହଯୋଗ ସମିତି (ଇସକଫ)ର ଜିଲା ସଭାପତି ହର ପ୍ରସାଦ ରଥ ସଂଯୋଜନା କରିଥିଲେ। ଦିଗପହଣ୍ଡି ବିଧାୟକ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ଡ. ସିଦ୍ଧାନ୍ତ ମହାପାତ୍ର , ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କୁକୁଡ଼ାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ରଙ୍କ ସମେତ ଏନଏସି କାଉନସିଲର ବୃନ୍ଦ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ସଭାରେ ସତନ୍ତ୍ର ଅତିଥି ଭାବେ ଯୋଗଦେଇଥିବା ପ୍ରହଲ୍ଲାଦ ରାଜା ନାଟକ ଗୁରୁ ତଥା ନିକଟରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଉପାଧି ପାଇଥିବା ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ମାନିତ କରିବା ସହ ଦିଗପହଣ୍ଡି ବିଧାୟକ ତାଙ୍କ ପାଦ ପ୍ରକ୍ଷାଳନ ପୂର୍ବକ ଗୁରୁପୂଜନ କରିଥିଲେ। ଲୋକକଳାର ପ୍ରଚାର ପ୍ରସାର ସହ ଖେମୁଣ୍ଡି ମାଟିର ଐତିହ୍ୟକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ ନିମନ୍ତେ ଏହି ମହୋତ୍ସବ ଆୟୋଜନ କରାଯାଇଛି ବୋଲି ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଦିଗପହଣ୍ଡି ବିଧାୟକ ସଭାରେ କହିଥିଲେ। ସଭାରେ ମୁଖ୍ୟଅତିଥି ରାଜ୍ୟ ସଂସ୍କୃତି ମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଖେମୁଣ୍ଡି ଲୋକ ମହୋତ୍ସବ ସମଗ୍ର ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି। ଗଞ୍ଜାମ ଜିଲାରେ ୪ ଶହରୁ ଅଧିକା ଶ୍ରୀ ଜଗନ୍ନାଥ ମନ୍ଦିର ରହିଛି। ତତ୍କାଳୀନ ଖେମୁଣ୍ଡି ରାଜ୍ୟର ରାଜଧାନୀ ଦିଗପହଣ୍ଡି ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିର ଆଦି ଭୂମି ଥିଲା ବୋଲି ସେ କହିଥିଲେ। ଦିଗପହଣ୍ଡିରେ ସନ୍ଥ ଅରକ୍ଷିତ ଦାସ,କବିସୂର୍ଯ୍ୟ ବଳଦେବ ରଥ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଜନ୍ମ ଗ୍ରହଣ କରି ଓଡ଼ିଶାର କଳା ସାହିତ୍ୟ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିଲେ। ରାଜ୍ୟ ସରକାର କଳା ଓ ସଂସ୍କୃତି ର ସୁରକ୍ଷା ପାଇଁ ବଦ୍ଧ ପରିକର ବୋଲି କହିଥିଲେ। ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ,ରାଜ୍ୟ ସଂସ୍କୃତି ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ,ବିଶିଷ୍ଟ ନାଟ୍ୟକାର ଓ ସଂସ୍କୃତି ଗବେଷକ ମନ୍ମଥ କୁମାର ଶତପଥୀ, ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ସଭାପତି ବିଶ୍ୱନାଥ ଚୌଧୁରୀ, କୋଷାଧ୍ୟକ୍ଷ ରଘୁନାଥ ପାଣିଗ୍ରାହୀ, କାର୍ଯ୍ୟକର୍ତ୍ତା ଆଇନଜୀବୀ କୁରେଶୁ ପଣ୍ଡା,ଅଶେଷ ନାଥ ମିଶ୍ର,ହର ପ୍ରସାଦ ରଥ,ରବୀନ୍ଦ୍ର ନାଥ ଡାକୁଆ,ନିରଞ୍ଜନ ରେଡ୍ଡୀ, କାଳୁ ଚରଣ ପାଣିଗ୍ରାହୀ, ପ୍ରଶାନ୍ତ ପୂଜାରୀଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ମହୋତ୍ସବ କମିଟିର ସମ୍ପାଦକ ଆଲୋକ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସଭା ପୂର୍ବରୁ ସ୍ଥାନୀୟ ନୂଆ ବସଷ୍ଟାଣ୍ଡଠାରୁ ଲୋକ କଳା ସାଂସ୍କୃତିକ ସଙ୍କୀର୍ତ୍ତନ ଦଳ ପକ୍ଷରୁ ଶୋଭାଯାତ୍ରା ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲା।