ଅଦିନିଆ ବର୍ଷା ଉଜାଡ଼ିଲା ରବିଚାଷ

ନୂଆପଡା ଅଫିସ,୫ା୫: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଧାନଚାଷ ସହ ପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଚଳିତବର୍ଷ ଅଦିନିଆ ବର୍ଷା ସହ କୂଆ ପଥର ମାଡରେପରିବା ଚାଷ ସବୁ ନଷ୍ଟ ହେବାରେ ଲାଗିଛି। କୋମନା ବ୍ଲକ ନୂଆଗାଁ ପଞ୍ଚାୟତର ଲୋହୋଣ୍ଡୋପାଲି, ଠୁଟିବର, କାମକେଡା, ତୁକଲାପଡା, ଗୋନିଆପଡା, ଗଣ୍ଡାମେର ପଞ୍ଚାୟତର କଣ୍ଟାପାଲି, ଦାନୋଝଲା, କାଣ୍ଡେତରା ପଞ୍ଚାୟତର ମହୁଲଭଟା, ମାଲପଡା, କାଣ୍ଡେତରା ଅଞ୍ଚଳରେ ହୋଇଥିବା ପିଆଜ ଚାଷ ଅଦିନିଆ ବର୍ଷାରେ ସର୍ବାଧିକ କ୍ଷତି ହୋଇଛି। କିଆରିରେ ପାଣି ଜମି ରହୁଥିବାରୁ ଅମଳ ଅବସ୍ଥାରେ ଥିବା ପିଆଜ ସବୁ ନଷ୍ଟ ହୋଇଯାଉଛି। ଅମଳ ବେଳକୁ ଚାଷ ନଷ୍ଟ ହେଉଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ପିଆଜ ଚାଷ ସହ ଭେଣ୍ଡି, କଲରା, ବାଇଗଣ, ପାତଳଘଣ୍ଟା, ଝୁଲେର, ଲଙ୍କା, ଫୁଲକୋବି, ପତ୍ରକୋବି ଆଦି ଚାଷରେ ରୋଗପୋକ ଲାଗିବା ପରେ ଚାଷୀ ହତାଶ ହୋଇପଡିଛି। ପତ୍ର ପୋଡିଲା ଭଳି ହୋଇ ଗଛ ସବୁ ବଢି ପାରୁନାହିଁ। ବିରୁନପଦର, ଇଛାପୁର, ବାଗମୁଣ୍ଡା, ବେଲରଦନା, ସିଲେଟପାଣି, ଗୋହିରାପଦର, ସାହଜଟ ଅଞ୍ଚଳରେ ବାଇଗଣ, କଲରା, ଝୁଡଙ୍ଗ, ଲଙ୍କା, କଖାରୁ, ଲାଉ, ପତ୍ରକୋବି, ଫୁଲକୋବି ଚାଷୀ ଭାଳେଣିରେ ପଡିଛନ୍ତି।
ଅପରପକ୍ଷରେ ରବିଧାନ ଏବେ ଅମଳ ଅବସ୍ଥାରେ ରହିଛି। ଏହି ସମୟରେ ବର୍ଷା ସାଙ୍ଗକୁ କୂଆପଥର ମାଡରେ ଗଛରୁ ଧାନକାନ୍ଦି ସବୁ ଝଡି ପଡୁଛି। ଜଡାମୁଣ୍ଡା ସୁନ୍ଦର ଜଳସେଚନ ପ୍ରକଳ୍ପ ଅଞ୍ଚଳର ଜଡାମୁଣ୍ଡା, ଗନିଆରୀ, ଖଇରଭାଡି, ଜନ୍ଦ୍ରାମୁଣ୍ଡା, ଠୋଙ୍ଗୋ ଓ ଲଟକନପଡା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି, ସାଇପଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ମାଇନର ଜୋଙ୍କ ଜଳସେଚନ ପ୍ରକଳ୍ପ ପତୋରା ଆଦି ପ୍ରକଳ୍ପ ପାଣିରେ ହୋଇଥିବା ଧାନଚାଷ କୁଆପଥର ମାଡରେ ପ୍ରଭୃତ କ୍ଷତି ହୋଇଛି। ବଞ୍ଚି ରହିଥିବା ଧାନଗଛରେ କାଣ୍ଡବିନ୍ଧା ପୋକ ଲାଗି ଶୁଖିଯାଉଛି।
ଚଳିତ ରବିଋତୁରେ ନଦୀକୂଳିଆ ଗାଁମାନଙ୍କର ଚାଷୀ ତରଭୁଜ ଚାଷ କରିଥିଲା। ଭଲ ଅମଳ ଆଶାଥିଲା। ହେଲେ ଅଦିନିଆ ବର୍ଷା ଓ କୁଆ ପଥର ମାଡ ସବୁ ଉଜାଡି ଦେଲା। ଜିଲା ସହକାରୀ କୃଷି ଅଧିକାରୀ ସୁଧାଂଶୁ ଶେଖର ସାହୁଙ୍କୁ ପଚାରିବାରୁ ଜିଲାର ୨୪ଟି ପଞ୍ଚାୟତର ଧାନ ଚାଷି ଇନସ୍ୟୁରାନ୍ସ୍ସ କରିଛନ୍ତି। ସେମାନଙ୍କ ଧାନଚାଷ ନଷ୍ଟ ଅନୁଯାୟୀ ଆକଳନ କରି ରିପୋର୍ଟ ଦେଲା ପରେ ସରକାରୀ ସହାୟତା ପାଇବେ। ପିଆଜ ଚାଷ ପାଇଁ ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗ ମିଳିତ ଆକଳନ କରି ରିପୋର୍ଟ ଦେଲାପରେ ଯେଉଁମାନଙ୍କର ୩୩ପ୍ରତିଶତରୁ ଅଧିକ ଚାଷ ନଷ୍ଟ ହୋଇଥିବା ସେମାନେ ସରକାରୀ ସହାୟତା ପାଇବେ। ପରିବା ଚାଷ ପାଇଁ ମଧ୍ୟ ଇନ୍‌ପୁଟ ସବ୍‌ସିଡି ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ।