ସିୟୁଇଟି ୟୁଜି ଆବେଦନ ଅବଧି ୫କୁ ବୃଦ୍ଧି

ଭୁବନେଶ୍ୱର,୧।୪(ଅସମାପିକା ସାହୁ): ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି କରାଯାଇଛି। ଏ ନେଇ ରବିବାର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ଏନ୍‌ଟିଏ ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଏପ୍ରିଲ ୫ ତାରିଖ ରାତି ୯ଟା ୫୦ ଭିତରେ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ୫ ତାରିଖ ରାତି ୧୧ଟା ୫୦ ଭିତରେ ଫି’ ଦାଖଲ କରିବାକୁ ପଡ଼ିବ। ଯଦି ଆବେଦନ ଫର୍ମରେ କୌଣସି ପରିବର୍ତ୍ତନ କରିବାର ଥିବ ତେବେ ଏପ୍ରିଲ ୬ରୁ ୭ ତାରିଖ ରାତି ୧୧ଟା ୫୦ ମଧ୍ୟରେ କରିବାକୁ ହେବ। ଆବେଦନ ପାଇଁ ଯେକୌଣସି ସରକାରୀ ପ୍ରମାଣପତ୍ର (ଆଧାର କାର୍ଡ, ପାସ୍‌ପୋର୍ଟ ଇତ୍ୟାଦି) ବା ସ୍କୁଲ ଆଇଡି କାର୍ଡ ମଧ୍ୟ ଦାଖଲ କରାଯାଇପାରିବ। ତଥାପି ଆବେଦନ ନେଇ କୌଣସି ସନ୍ଦେହ ଥିଲେ ଏନ୍‌ଟିଏ ହେଲ୍ପ ଡେସ୍କ ୦୧୧୪୦୭୫୯୦୦୦ ନମ୍ବରକୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ନଚେତ୍‌ cuet-ug@nta.ac.inକୁ ଲେଖି ବୁଝିପାରିବେ। ଏଥିସହିତ ଛାତ୍ରୀଛାତ୍ରମାନେ ପରୀକ୍ଷା ସମ୍ବନ୍ଧୀୟ ସୂଚନା ପାଇଁ ଏନ୍‌ଟିଏ ଓ୍ବେବସାଇଟ www.nta.ac.in, https://exams.nta.ac.in/CUET-UGକୁ
ରେଗୁଲାର ଚେକ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଆଧାର ସମ୍ପର୍କିତ ସମସ୍ୟା ଦେଖାଯିବାରୁ ଆବେଦନ ସମୟରେ ଛାତ୍ରୀଛାତ୍ରମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏନ୍‌ଟିଏ ଆବେଦନ ଅବଧି ବୃଦ୍ଧି କରିଥିବା ଜଣାପଡ଼ିଛି।