ଦୁଇବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ଟିକାକରଣରେ କ୍ୟୁବା ପ୍ରଥମ, ହେଲେ ମିଳିନି ଡବ୍ଲୁଏଚ୍‌ଓର ମଞ୍ଜୁରୀ

ହୱାନା,୭ ।୯: ସାରା ବିଶ୍ୱରେ କରୋନା ଭାଇରସକୁ ଦୂରେଇବା ପାଇଁ ଭ୍ୟାକ୍ସିନ ବା ଟିକାକରଣର ଅଭିଯାନ ଯୋର ସୋରରେ ଚାଲିଛି । ହେଲେ ଏପର୍ଯ୍ୟନ୍ତ ଛୋଟ ପିଲାମାନଙ୍କ ପାଇଁ ଭ୍ୟାକ୍ସିନ ନ ଆସିବା ଚିନ୍ତାର କାରଣ ପାଲଟିଛି । ଆମେରିକାଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଦେଶ ଏହାକୁ ନେଇ ରିସର୍ଚ୍ଚ ଜାରି ରଖିଛନ୍ତି । କୁହାଯାଉଛି କି ବଡ ମାନଙ୍କୁ ଦିଆଯାଉଥିବା ଭ୍ୟାକ୍ସିନ ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଭଲ କାମ କରିବ । ହେଲେ ଏପର୍ଯ୍ୟନ୍ତ ଏହା ପିଲାମାନଙ୍କୁ ଦିଆଯାଇ ନାହିଁ । ଏହାରି ଭିତରେ କ୍ୟୁବା ପ୍ରଥମ ଦେଶ ଭାବେ ୨ ବର୍ଷ ବୟସରୁ ଅଧିକ ପିଲାମାନଙ୍କୁ ଭ୍ୟାକ୍ସିନ ଦେବା ଆରମ୍ଭ କରିଛି । ହେଲେ ଏହି ଭ୍ୟାକ୍ସିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲଏଚ୍‌ଓ) ଦ୍ୱାରା ମଞ୍ଜୁରୀ ପାଇନାହିଁ ଓ ଏହା କ୍ୟୁବାରେ ହିଁ ତିଆରି କରାଯାଇଛି ବୋଲି ଜଣାପଡିଛି । ଗୁରୁତ୍ୱପୂର୍ଣ୍ଣ କଥାହେଲା ୧.୧୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ସରକାର ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ପିଲାଙ୍କୁ ଟିକା ଦେବାକୁ ସ୍ଥିର କରିଛନ୍ତି । କ୍ୟୁବାରେ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍ ନ ଥିବାରୁ ପିଲାମାନେ ଟେଲିଭିଜନ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ସେଥିପାଇଁ ସରକାର ଶୀଘ୍ର ସ୍କୁଲ ଖୋଲିବାକୁ ଏଭଳି ପଦକ୍ଷେପ ନେଇଛନ୍ତି । ଅବଦଲା ଓ ସୋବେରାନା ନାମକ ଦୁଇଟି ଟିକା ପିଲାଙ୍କୁ ଦିଆଯାଇଥିବା ଜଣାପଡିଛି । ଶୁକ୍ରବାର ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲାଙ୍କୁ ଏହା ଦିଆଯାଇଛି । ସୋମବାର ୨-୧୧ ବର୍ଷ ବୟସର ପିଲାମାନଙ୍କୁ ଏହି ଟିକା ଦେବା ଆରମ୍ଭ କରାଯାଇଛି ବୋଲି ଜଣାପଡିଛି ।

Share