୧୦୦ବି ଛୁଇଁପାରିଲାନି ସିଏସ୍‌କେ

ମୁମ୍ବାଇ,୧୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସାଙ୍ଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ୩୬ ରନ୍‌ର ଅପରାଜିତ ଇନିଂସ ସତ୍ତ୍ୱେ ସିଏସ୍‌କେ ମାତ୍ର ୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ୧୦୦ ତଳେ ଅଲଆଉଟ୍‌ ହୋଇଛି ଚେନ୍ନାଇ। ଜବାବରେ ମୁମ୍ବାଇ ୫ ଓଭରରେ ୪ ଉଇକେଟ ହରାଇ ୩୪ ରନ୍‌ କରିଛି।
ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା। ତାଙ୍କ ନିଷ୍ପତ୍ତିକୁ ଡାନିଏଲ ସାମ୍ସ ପ୍ରଥମ ଓଭରରେ ଦୁଇ ଉଇକେଟ ନେଇ ଉଚିତ ସାବ୍ୟସ୍ତ କରିଥିଲେ। ଦ୍ୱିତୀୟ ବଲରେ ସିଏସ୍‌କେର ଇନ୍‌ ଫର୍ମ ଓପନର ଡେଭନ କନଓ୍ବେଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। କିନ୍ତୁ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ଥିଲେ ମଧ୍ୟ ଡିଆର୍‌ଏସ୍‌ ବ୍ୟବହାର କରିପାରି ନ ଥିଲେ। କାରଣ ଫ୍ଲଡଲାଇଟ୍‌ରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଡିଆରଏସ୍‌ ଉପଲବ୍ଧ ନ ଥିଲା। ସେହି ଓଭରର ଚତୁର୍ଥ ବଲରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ ମୋଇନ ଅଲି। ଦ୍ୱିତୀୟ ଓଭରରେ ରବିନ ଉଥପ୍ପା(୧)ଙ୍କୁ ଆଉଟ୍‌ କରିଥିଲେ ଯଶପ୍ରୀତ ବୁମରା। ତା’ ପରେ ଋତୁରାଜ ଗାଏକ୍ୱାଡ (୭) ଓ ଅମ୍ବାତି ରାୟୁଡୁ (୧୦) ଆଉଟ୍‌ ହେବାରୁ ପ୍ଲାଓ୍ବରପ୍ଲେ ଶେଷ ସୁଦ୍ଧା ସିଏସ୍‌କେ ମାତ୍ର ୨୯ ରନ୍‌ରେ ଅଧା ଦଳକୁ ହରାଇ ସାରିଥିଲା। ସେଠାରୁ ଅଧିନାୟକ ଧୋନୀ ନିମ୍ନକ୍ରମର ବ୍ୟାଟର ଶିବମ ଦୁବେ(୧୨), ଡ୍ବେନ ବ୍ରାଭୋ(୧୨)ଙ୍କ ସହ ଦଳୀୟ ସ୍କୋରକୁ ୯୭ରେ ପହଞ୍ଚାଇଥିଲେ। ୧୫ତମ ଓଭରର ଅନ୍ତିମ ବଲରେ ଧୋନୀ ଉଇକେଟକିପର ଇଶାନ କିଷନଙ୍କ ହାତରୁ ଏକ ରନ୍‌ ଚୋରି କଲା ବେଳେ ମୁକେଶ ଚୌଧାରୀ (୪) ରନ୍‌ ଆଉଟ୍‌ ହୋଇଥିଲେ। ଫଳରେ ୧୬ ଓଭରରେ ୯୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ସିଏସ୍‌କେ। ଅଧିନାୟକ ଧୋନୀ ୩୩ ବଲରେ ୩୬ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ୪ ଚୌକା ଓ ୨ ଛକା ସାମିଲ ଥିଲା। ଦଳକୁ ଅତିରିକ୍ତ ବାବଦରେ ୧୫ ରନ୍‌ ମିଳିଥିଲା। ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ରିଲେ ମେରେଡିଥ ଏବଂ କୁମାର କାର୍ତ୍ତିକେୟ ୨ ଲେଖାଏ ଉଇକେଟ ନେଇଥିଲେ।

Share