ନୂଆଦିଲ୍ଲୀ,୨୪ା୧୦: ସାଉଦି ଆରବ ଉପରେ ୟେମେନ୍ର ହାଉତି ବିଦ୍ରୋହୀଙ୍କ ଆକ୍ରମଣକୁ ନେଇ ପଶ୍ଚିମ ଏସିଆ ସ୍ଥିତି ଆହୁରି ଜଟିଳ ହେବାକୁ ଲାଗିଥିଲାବେଳେ ଉପସାଗରୀୟ ଦେଶଗୁଡିକରୁ ତୈଳ ପରିବହନ ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। ଏହାକୁ ନେଇ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଅଶୋଧିତ ତୈଳ ଦର ମେ’ ମାସ ପରଠାରୁ ପ୍ରଥମ ଥର ପାଇଁ ବ୍ୟାରେଲ ପିଛା ୧୧୫ ଡଲାର ଛୁଇଁଛି। ଏହାକୁ ନେଇ ବିଶ୍ୱ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବା ସହ ପ୍ରମୁଖ ଶେୟାର ବଜାର ସୂଚକାଙ୍କରେ ହ୍ରାସ ପରିଲକ୍ଷିତ ହୋଇଛି। ବିଶେଷକରି ୱାଲ ଷ୍ଟ୍ରିଟ୍ରେ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ଅତ୍ୟଧିକ ହ୍ରାସ ପାଇବା ପରେ ବିଶ୍ୱ ବଜାର ଉପରେ ଅଧିକ ଚାପ ସୃଷ୍ଟି କରିଛି।
ଅଶୋଧିତ ତୈଳକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମାନଦଣ୍ଡ ଭାବେ ପରିଚିତ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ଲଣ୍ଡନରେ ପ୍ରାୟ ୧.୬ ପ୍ରତିଶତ ବୃଦ୍ଧି ପାଇ କିଛି ସମୟ ପାଇଁ ବ୍ୟାରେଲ ପିଛା ୧୧୫ ଡଲାର ଛୁଇଁଥିଲା। ପରେ ପରେ ଏହି ମୂଲ୍ୟ ବ୍ୟାରେଲ ପିଛା ୧୧୪.୪୫ ଡଲାରକୁ ଖସିଥିଲା। ତେବେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ପୁଣି ତେଜିବା ଆଶଙ୍କା ମଧ୍ୟରେ ଅଶୋଧିତ ତୈଳ ବୃଦ୍ଧି ଜାରି ରହିଛି। ତୈଳ ମୂଲ୍ୟ ବୃଦ୍ଧି ବ୍ୟତୀତ ବର୍ତ୍ତମାନ ଏଆଇକୁ ନେଇ ବଢିଚାଲିଥିବା ନିବେଶର ସ୍ଥାୟିତ୍ୱ ଏବଂ ଫ୍ରାନ୍ସର ସରକାରୀ ବଣ୍ଡ ବିକ୍ରିକୁ ନେଇ ଚିନ୍ତା ବଢିବା ପରେ ସାମଗ୍ରିକ ବୈଶ୍ୱିକ ଅର୍ଥନୀତି ପାଇଁ ମଧ୍ୟ ଚିନ୍ତା ବଢିଥିବା କୁହାାଇଛି।
ଏହି କ୍ରମରେ ଶୁକ୍ରବାର ଭାରତୀୟ ଶେୟାର ବଜାର ପ୍ରଭାବିତ ହେବା ସହ
ବିଏସ୍ଇ ସେନ୍ସେକ୍ସ ଏବଂ ଏନ୍ଏସ୍ଇ ନିଫ୍ଟିରେ ହ୍ରାସ ଘଟିଛି। ସେନ୍ସେକ୍ସ କାରବାର ଶେଷ ସୁଦ୍ଧା ୧୨୫ ପଏଣ୍ଟ ହ୍ରାସରେ ୭ ୩,୧୨୩ରେ ବନ୍ଦ ରହିଥିଲାବେଳେ ନିଫ୍ଟି ୮୭ ପଏଣ୍ଟ ହ୍ରାସରେ ୨୨,୬୦୦ରେ ବନ୍ଦ ରହିଛି। ୧୬ଟି ପ୍ରମୁଖ କ୍ଷେତ୍ର ମଧ୍ୟରୁ ୧୫ଟି କ୍ଷେତ୍ରର ଶେୟାର କାରବାର ହ୍ରାସ ପାଇଥିବା କୁହାଯାଇଛି।