Categories: ଜାତୀୟ

ସୁକମାରେ ମାଓବାଦୀ-ସିଆରପିଏଫ୍‌ ମୁହାଁମୁହିଁ: ଜଣେ ହେଡ୍‌ କନଷ୍ଟେବଳ ଶହୀଦ

ବିଜାପୁର,୨୯।୧୧: ଛତିଶଗଡର ସୁକମାରେ ମଙ୍ଗଳବାର ମାଓବାଦୀ ଓ ସିଆରପିଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ମାଓବାଦୀଙ୍କ ଗୁଳିରେ କୋବ୍ରା ବାଟାଲିୟନର ଜଣେ ହେଡ୍‌ କନଷ୍ଟେବଳ ଶହୀଦ ହୋଇଥିବା ଜଣାପଡ଼ିଛି। ଯବାନମାନେ ମାଓବାଦୀ ଅପରେଶ୍‌ନ ଚଳାଉଥିବା ବେଳେ ସେହି ସମୟରେ ମାଓବାଦୀମାନେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନଙ୍କୁ ଗୁଳି ବାଜିଥିଲା। ଆହତ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିବା ବେଳେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଚିନ୍ତାଗୁଫା ପୋଲିସ ଷ୍ଟେସନ ପରିସରରେ ଥିବା ଡବାକୋଣ୍ଟା କ୍ୟାମ୍ପ ନିକଟରେ ଏହି ଗୁଳି ବିନିମୟ ହୋଇଥିଲା ବୋଲି ବସ୍ତର ଆଇଜି ପି. ସୁନ୍ଦରାଜ ସୂଚନା ଦେଇଛନ୍ତି। ଏହାପୂର୍ବରୁ ମଙ୍ଗଳବାର ସକାଳେ ବିଜାପୁରରେ ଆଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍‌ କନଷ୍ଟେବଳ ଆହତ ହୋଇଥିଲେ। କନଷ୍ଟେବଳଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share