Categories: ଜାତୀୟ

ଆତଙ୍କବାଦୀଙ୍କ ୯ ଗୁଳି ବାଜିବା ପରେ ମୃତ୍ୟୁ ସହ ସଂଗ୍ରାମରେ ବିଜେତା ହୋଇଥିଲେ ଚେତନ ଚିତା; ଏବେ କୋଭିଡ୍‌ ସହ ଲଢ଼ୁଛନ୍ତି ଯୁଦ୍ଧ

ନୂଆଦିଲ୍ଲୀ,୩।୬: ସାହସିକତାର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ କିର୍ତ୍ତୀ ଚକ୍ରରେ ପୁରସ୍କୃତ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) କମାଣ୍ଡାଣ୍ଟ ଚେତନ ଚିତାଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି। କୋଭିଡରେ ଆକ୍ରାନ୍ତ ହୋଇଥିବା ଯୋଗୁ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ଶରୀରର ଅମ୍ଳଜାନସ୍ତର କମ୍‌ ହେବା ଯୋଗୁ ଚିତାଙ୍କୁ ମେ’ ୯ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି।

ଚେତନଙ୍କ ଲାଗି ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଦ୍‌ ରହିଛି। କାରଣ ସେ ଏବେ ଭେଣ୍ଟିଲେଟରରେ। ସଂକ୍ରମଣର ଚିକିତ୍ସା ଲାଗି ତାଙ୍କୁ ଆଣ୍ଟିବାୟୋଟିକ୍‌ ଦିଆଯାଉଛି। ଏହାଛଡ଼ା ରକ୍ତଚାପ ସମସ୍ୟା ଥିବାରୁ ଔଷଧ ମଧ୍ୟ ଚାଲୁଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ୨୦୧୭ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ବେଳେ ଚେତନଙ୍କ ଶରୀରରେ ୯ ଗୁଳି ବାଜିଥିଲା। ତାଙ୍କର ମୁଣ୍ଡ, ଡାହାଣ ଆଖି, ପେଟ, ହାତ ଆଦିରେ ଗୁଳି ବାଜିଥିଲା। ଏହାସତ୍ତ୍ୱେ ସେ ଲଢ଼ିବା ଜାରି ରଖି ୩ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଶ୍ରୀନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୩ ମାସ କୋମାରେ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରି ଡ୍ୟୁଟିରେ ଯୋଗ ଦେଇଥିଲେ।

Share