କ୍ରାଉନ୍‌ ପ୍ରିନ୍ସଙ୍କୁ ଦଣ୍ଡ ମିଳୁ

ରିୟାଧ, ୨ା୩: ସାଉଦି ପତ୍ରକାର ଜମାଲ ଖାଶୋଗୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ସାଉଦି ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ଖାଶୋଗୀଙ୍କ ପ୍ରେମିକା ହାଟିସ୍‌ ସେଙ୍ଗିଜ୍‌। ଏହା ଦ୍ୱାରା କେବଳ ଖାଶୋଗୀଙ୍କୁ ନ୍ୟାୟ ମିଳିବ ତାହା ନୁହେଁ ବରଂ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତିକୁ ରୋକାଯାଇପାରିବ ବୋଲି ସେଙ୍ଗିଜ୍‌ କହିଛନ୍ତି। ପ୍ରିନ୍ସଙ୍କୁ ଦଣ୍ଡ ନ ମିଳିଲେ ତାହା ମାନବିକତା ବିରୋଧୀ ହେବ ଏବଂ ଆମକୁ ବିପଦ ଓ ଭୟ ମଧ୍ୟରେ ବଞ୍ଚିବାକୁ ହେବ ବୋଲି ସେ କହିଛନ୍ତି। ଖାଶୋଗୀଙ୍କୁ ହତ୍ୟା କରିବାକୁ ପ୍ରିନ୍ସ ସଲମାନ ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ସାଉଦି ଆରବ ପକ୍ଷରୁ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି। ଏକଦା ସାଉଦି ସରକାରଙ୍କ ପରାମର୍ଶଦାତା ଥିବା ଖାଶୋଗୀ ପ୍ରିନ୍ସ ସଲମାନଙ୍କ ସମାଲୋଚକ ପାଲଟିଥିଲେ। ୨୦୧୭ରେ ସେ ଆମେରିକା ପଳାଇ ସେଠାରେ ପତ୍ରକାର ଭାବେ କାମ କରୁଥିଲେ।

Share