ରାଖୀ ପାଇଁ ମିଠା ଦୋକାନରେ ଭିଡ଼: ୫ ଦୋକାନ ସିଲ୍‌, ୪୦ ଦୋକାନୀଙ୍କୁ ଜରିମାନା

ଝାରସୁଗୁଡ଼ା ଅଫିସ,୩ା୮: ଝାରସୁଗୁଡ଼ାରେ ସୋମବାର ସକାଳୁ ଗହଳି ପରିଲକ୍ଷିତ ହୋଇଥିଲା। ରାଖୀ ପୂର୍ଣ୍ଣିମା ଯୋଗୁ ଲୋକେ କିଣାକିଣି କରିବା ପାଇଁ ଏହି ଭିଡ଼ ହୋଇଥିଲା। ବିଶେଷକରି ବିଭିନ୍ନ ମିଠା ଦୋକାନରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ନ ଥିଲା। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସହରର ୫ଟି ମିଠା ଦୋକାନକୁ ସିଲ୍‌ କରାଯାଇଛି। ୪୦ଟି ଦୋକାନଠାରୁ ଜରିମାନା ଆଦାୟ କରାଯାଇଛି। ଜିଲା ପ୍ରଶାସନର ଏହି ପଦକ୍ଷେପକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ରାଖୀ ପାଇଁ ତିଆରି କରାଯାଇଥିବା ମିଠାଗୁଡିକ ନଷ୍ଟ ହୋଇଥିବା ବେଳେ ସେମାନେ କ୍ଷତି ସହିଥିବା କହିଛନ୍ତିି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ଶନିବାର ଓ ରବିବାର ଦୁଇ ଦିନ ଶଟ୍‌ଡାଉନ୍‌ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଗତ ଶନିବାର ଜିଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ଅଞ୍ଚଳର ବ୍ୟବସାୟୀମାନେ ବିରୋଧ କରି ଜିଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ରାଖୀ ଥିବାରୁ ଶନିବାର ଓ ରବିବାର ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ପରେ ଜିଲା ପ୍ରଶାସନର ଅଧିକାରୀମାନେ ବୈଠକ କରି ଶନିବାର ସନ୍ଧ୍ୟା ୬ରୁ ୯ ଓ ରବିବାର ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଦୋକାନଗୁଡିକ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏନେଇ କୌଣସି ସରକାରୀ ଚିଠି କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇ ନ ଥିଲା। ଫଳରେ ଲୋକେ ଜାଣି ପାରି ନ ଥିଲେ। ସେଥିପାଇଁ ସୋମବାର ସକାଳେ ଦୋକାନ ବଜାର ଭିଡ଼ ହୋଇଥିଲା। ତେବେ ଏ ସମ୍ପର୍କରେ କୌଣସି ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।