ଭଞ୍ଜନଗର ଯାତ୍ରାରେ ଜମୁଛି ଭିଡ: ସରକାରଙ୍କ ଦ୍ୱାରା ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

ଭଞ୍ଜନଗର,୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଭିଡ ଜମୁଛି। ମଙ୍ଗଳବାର ଯାତ୍ରା ୧୦ ଦିନରେ ପହଞ୍ଚିଛି। ସହର ଅପେକ୍ଷା ଗ୍ରାମାଞ୍ଚଳ ଲୋକ ଯେତେବେଳେ ଯାତ୍ରା ଦେଖିବାକୁ ଆସନ୍ତି ସେହି ସମୟରେ ଯାତ୍ରାରେ ଭିଡ ପରିଲକ୍ଷିତ ହୋଇଥାଏ। ଯାତ୍ରା ଆହୁରି ୧୫ ଦିନ ହେବ। ଅନ୍ୟପଟେ ଅପେରା, ସର୍କସ, ରାମ ଦୋଳି ଆଜିଠୁ ଚାଲିବା ସମ୍ଭାବନା ରହିଛି। ଏଥିପାଇଁ ପ୍ରସ୍ତୁତି ଚାଲିଛି।

ଅପରପକ୍ଷେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସୁଦ୍ଧା ୯ଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିରୀକୃତ ହୋଇଛି। ଆଗକୁ ଏହି ସଂଖ୍ୟା ବଢିବା ସମ୍ଭାବନା ରହିଛି। ସେଗୁଡ଼ିକ ହେଲା ୭ ତାରିଖରେ ଦିଗପହଣ୍ଡିର ଘୁଡକି, ୮ଟାରେ ବଲାଙ୍ଗୀରର ଘୋଡକା, ୯ ତାରିଖରେ ଟିଟିଲାଗଡ଼ର ସମ୍ବଲପୁରୀ ନୃତ୍ୟ, ୧୦ରେ ବଲାଙ୍ଗୀରର ସମ୍ବଲପୁରୀ ନୃତ୍ୟ, ୧୨ରେ ସମ୍ବଲପୁର ବାଜା ସାଲ କାର୍ଯ୍ୟକ୍ରମ ପରିବେଷଣ ଲକ୍ଷ୍ୟ ରଖାଯାଇଛି। ଏଥିସହ ୧୩ରେ ଖୋର୍ଦ୍ଧାର ପାଇକ ଆଖଡ଼ା ନୃତ୍ୟ, ୧୬ରେ ବଲାଙ୍ଗୀରର ସମ୍ବଲପୁରୀ ନୃତ୍ୟ, ୧୭ରେ ଭବାନୀପାଟଣାର ଘୁମୁରା, ୧୮ ତାରିଖରେ ମୟୂରଭଞ୍ଜର ଛଉ ନୃତ୍ୟ ପରିବେଷଣ ହେବ।

ଏଥିସହ ଯାତ୍ରା କମିଟି ପକ୍ଷରୁ ରାଜ୍ୟର ନାମୀଦାମୀ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ। ତେଣୁ ଆଗାମୀ ଦିନରେ ଯାତ୍ରାରେ ଆହୁରି ଅସମ୍ଭାଳ ଭିଡ ହେବ। ତେଣୁ ଆଗକୁ ପୋଲିସ ପ୍ରସାଶନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇବା ଆଶ୍ୟକତା ରହିଛି। ପ୍ରତିଦିନ ସନ୍ଧ୍ୟାରେ ଭଞ୍ଜନଗର ପୁରୁଣା ଜେଲ ପରିସରରେ କବି ସମ୍ରାଟ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି। ମଙ୍ଗଳବାର ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଶେଷ ହେବା ପରେ ଦେବୀ ଅସ୍ଥାୟୀ ମଣ୍ଡପରୁ ଗମ୍ଭିରାରୁ ବାହାରି ପୂର୍ବ ମୁଖ ହୋଇ ତହସିଲ ଛକ ଯାଏ ଯିବେ। ସେଠାରୁ ଉତ୍ତର ମୁଖ ହୋଇ ବସଷ୍ଟାଣ୍ଡ, ଜଳସମ୍ପଦ କାର୍ଯ୍ୟାଳୟ, କୋର୍ଟ ରୋଡ଼, ଷ୍ଟେଟ ବ୍ୟାଙ୍କ ଛକ ହୋଇ ଭେଜିପୁଟ ଯିବେ।

ସେଠାରେ କାବରା ସାହି ନିବାସୀ ସୁମନ ସଙ୍ଗୀତ ପଟ୍ଟନାୟକଙ୍କ ବାସଭବନର ଭେଜିପୁଟ ମୁଖ୍ୟ ରାସ୍ତାରେ ପୂଜାର୍ଚ୍ଚନା ହେବ। ସେଠାରୁ ଦେବୀ ଆଗକୁ ବଢ଼ି ମୁଖ୍ୟ ରାସ୍ତାର ନୂଆଁ ସାହି ଛକ ନିବାସୀ ଦିନେଶ କୁମାର ଗୌଡ଼ଙ୍କ ବାସଭବନଠାରେ ପୁଣି ପୂଜାର୍ଚ୍ଚନା ପାଇବେ । ପୂଜାର୍ଚ୍ଚନା ସରିବା ପରେ ସେଠାରୁ ଦେବୀ ପୁଣି ଭେଜିପୁଟ ମୁଖ୍ୟ ରାସ୍ତା ଦେଇ ଷ୍ଟେଟ ବ୍ୟାଙ୍କ ଛକ ଯାଏ ଆସିବେ । ସେଠାରୁ ଆର.ସି. ରୋଡ଼, ଖଲାସି ସାହି ଅତିକ୍ରମ କରି ଖଲାସି ସାହି ଛକକୁ ଆସିବେ । ସେଠାରୁ ପୂର୍ବ ମୁଖ ହୋଇ ମୁଖ୍ୟ ସଡ଼କରେ ଥିବା ଅସ୍ଥାୟୀ ଗମ୍ଭୀରାରେ ମା’ ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି।

 

Dharitri – Odisha’s No.1 Odia Daily

 

Share