ମାଛ କିଣିବା ପାଇଁ ଜମୁଛି ଭିଡ

ବଲାଙ୍ଗୀର ଅଫିସ, ୨୨ା୫: ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ ସାମାନ୍ୟ କୋହଳ କରାଯାଇଛି। ମାତ୍ର ଏହାର ଫାଇଦା ନେଇ କେତେକ କୋଭିଡ ଗାଇଡ୍‌ଲାଇନର ଉଲ୍ଲଂଘନ କରୁଛନ୍ତି। ପ୍ରତିଦିନ ବଲାଙ୍ଗୀର ସହରରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ବିଶେଷ କରି ମାଛବଜାର ଓ ପନିପରିବା କିଣାବିକା ବେଳେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହେଉଛି। ବଲାଙ୍ଗୀର ରୁଗୁଡିପଡା ମାଛବଜାରରେ ଉଭୟ କେତ୍ରା ଓ ବିକ୍ରେତା କୋଭିଡ ନିୟମ ପାଳନ କରୁ ନ ଥିବା ଦେଖାଯାଉଛି। ସହର ମଧ୍ୟସ୍ଥଳ ଏବଂ ଭିଆଇପି ରାସ୍ତାରେ ଥିବାରୁ ଏଠାକୁ ପ୍ରାୟ ସହରର ସବୁ ଅଞ୍ଚଳରୁ ଲୋକେ ମାଛ କିଣିବା ପାଇଁ ଆସି ଭିଡ କରୁଛନ୍ତି । ଏଥିଯୋଗୁଁ ଏଠାରେ ସଂକ୍ରମଣ ବଢ଼ିବା ଆଶଙ୍କା ପ୍ରକାଶ ପାଉଛି ା ମ୍ୟୁନିସିପାଲିଟି, ପ୍ରଶାସନିକ ଅଧିକାରୀ ଓ ପୋଲିସ ଟିମ୍‌ ଏଠାକୁ ଆସି ଉଭୟ କେତ୍ର ଓ ବିକ୍ରେତାଙ୍କୁ ତାଗିଦ୍‌ କରିଛନ୍ତି। ମାତ୍ର କିଛିଦିନ ପରେ ପୁଣି ସାମାନ ସ୍ଥିତି ଦେଖିବାକୁ ମିଳୁଛି। ଗତବର୍ଷ କରୋନା ମହାମାରୀ ଲକ୍‌ଡାଉନ୍‌ ସମୟରେ ଏହି ମାଛ ମାର୍କେଟକୁ କୋଶଳ କଳାମଣ୍ଡଳ ପଡିଆ ଭିତରକୁ ସ୍ଥାନାନ୍ତର କରାଯାଇଥିଲା। ଚଳିତବର୍ଷ ଲକ୍‌ଡାଉନ୍‌ ଘୋଷଣା ପରେ ଡେଲିମାର୍କେଟରେ ଅସମ୍ଭାଳ ଭିଡ ହେବା ଓ ବାରମ୍ବାର ତାଗିଦ୍‌ ପରେ ମଧ୍ୟ ପନିପରିବା ବ୍ୟବସାୟୀ ଏହାକୁ ଖାତିର ନ କରିବାରୁ ଜିଲା ପ୍ରଶାସନ କଡାକଡି ଆଭିମୁଖ୍ୟ କରିବା ପରେ ଡେଲିମାର୍କେଟ ପରିବା ବ୍ୟବସାୟୀ ଶେଷରେ କୋଶଳ କଳାମଣ୍ଡଳକୁ ଆସିଥିଲେ। ବଲାଙ୍ଗୀର ଜିଲା କରୋନା ସଂକ୍ରମଣରେ ରେଡ୍‌ ଜୋନ୍‌ରେ ରହିଛି। ଏଭଳି ସମୟରେ ଜିଲା ସଦର ମହକୁମାରେ ଭିଡ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ମ୍ୟୁନିସିପାଲିଟି ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଘଟଣା ସମ୍ପର୍କରେ ପଚରାଯିବାରୁ ବାରମ୍ବାର ତାଗିଦ୍‌ ସତ୍ତ୍ୱେ କେତେକ କୋଭିଡ ଗାଇଡଲାଇନ୍‌ ଉଲଂଘନ କରୁଛନ୍ତିି। ଦୁଇଦିନିଆ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରେ ଆସନ୍ତା ସୋମବାରଠାରୁ ମାଛ ମାର୍କେଟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।