ଯୋଗ ଦିବସ କାର୍ଯ୍ୟକ୍ରମରେ ଭିଡ଼ ହିଂସା…

ମାଲେ, ୨୧।୬ : ଯୋଗ ଦିବସ ପାଳନ ଅବସରରେ ମାଳଦ୍ୱୀପରେ ଭିଡ଼ ହିଂସା ଘଟିଛି। ଭାରତୀୟ ସାଂସ୍କୃତିକ କେନ୍ଦ୍ର ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଲୋକଙ୍କ ଉପରେ ଆକ୍ରମଣ ହୋଇଛି। ରାଜଧାନୀ ମାଲେର ଫୁଟବଲ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେଉଥିବା ଯୋଗ କାର୍ଯ୍ୟକ୍ରମରେ କେତେକ ଅଜଣା ଲୋକ ପହଞ୍ଚି ହିଂସାକାଣ୍ଡ ଘଟାଇଛନ୍ତି। ଭିଡ଼ ହିଂସାକୁ କାବୁ କରିବା ଲାଗି ପୋଲିସଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା।

ଘଟଣାସ୍ଥଳରେ ଅବସ୍ଥାପିତ ପୋଲିସ କର୍ମଚାରୀମାନେ ହାତରେ ପତାକା ଧରିଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଲୁହବୁହା ଗ୍ୟାସ ସେଲ ଫିଙ୍ଗିଥିଲେ, କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ନ ହେବାରୁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରି ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ କହିଛନ୍ତି ଯେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେ ଟୁଇଟ କରି କହିଛନ୍ତି ଯେ ଏହି ଘଟଣାକୁ ନେଇ ସରକାର ବହୁତ ଚିନ୍ତିତ। ସେ କହିଛନ୍ତି ଯେ ମଙ୍ଗଳବାର ସକାଳେ ଗାଲୋଲୁ ଷ୍ଟାଡିୟମରେ ଘଟିଥିବା ଘଟଣାର ପୋଲିସ ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧ ଶୀଘ୍ର ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ।

Share