ଦଦରାଘାଟିରେ ପର୍ଯ୍ୟଟକଙ୍କ ଭିଡ଼

ପରଜଙ୍ଗ,୬।୧(ଡି.ଏନ.ଏ.): ପର୍ଯ୍ୟଟକଙ୍କ ଗହଳଚହଳରେ ମୁଖରିତ ହୋଇଉଠିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଦଦରାଘାଟି ଡ୍ୟାମ୍‌। ସହରର କୋଳାହଳଠାରୁ ଦୂର ଶାନ୍ତ ସବୁଜିମା କୋଳରେ କିଛି ସମୟ ବିତାଇବା ଲାଗି ଏଠାକୁ ଛୁଟି ଆସୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ।
ଅଞ୍ଚଳର ଚାଷଜମିକୁ ଜଳସେଚନ ଉଦ୍ଦେଶ୍ୟରେ ନିର୍ମିତ ଦଦରାଘାଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଲଟିଛି ଜିଲା ପର୍ଯ୍ୟଟନର ପ୍ରମୁଖ ସ୍ଥାନ। ଡ୍ୟାମ୍‌ର ବିସ୍ତୀର୍ଣ୍ଣ ଜଳରାଶି, ଜଳଭଣ୍ଡାରକୁ ଲାଗି ରହିଥିବା ଘଞ୍ଚ ଜଙ୍ଗଲର ଶାନ୍ତ ବାତାବରଣରେ ବଣଭୋଜିର ମଜା ନେବାକୁ ଏଠାରେ ବର୍ଷତମାମ ସ୍ଥାନୀୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦଦରାଘାଟି ଡ୍ୟାମ ପରିଦର୍ଶନ କରିବାକୁ ଆସୁଥିବା ଯାତ୍ରୀମାନେ କୁଆଳୋର ପ୍ରସିଦ୍ଧ ଶୈବପୀଠ ଅଷ୍ଟଶମ୍ଭୁ ମନ୍ଦିର, ସରାଙ୍ଗ ଅନନ୍ତ ଶୟନ ବିଷ୍ଣୁଙ୍କ ଦର୍ଶନ କରିବା ସୁଯୋଗ ହାତଛଡ଼ା କରୁନାହାନ୍ତି।
ତେବେ ଡ୍ୟାମ୍‌ରେ ପର୍ଯ୍ୟଟକ ଅନୁକୂଳ ବାତାବରଣ ନ ଥିବାରୁ ସମସ୍ୟା ହେଉଛି। ପିଇବା ପାଣି ପାଇଁ ନଳକୂପ ନ ଥିବାରୁ ପର୍ଯ୍ୟଟକମାନେ ଡ୍ୟାମ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ମହିଳାଙ୍କ ଲାଗି ଶୌଚାଳୟ ନାହିଁ। ମୋବାଇଲ ନେଟଓ୍ବର୍କ ମଧ୍ୟ ଠିକ୍‌ରେ ଆସୁନାହିଁ। ଏଭଳି ଅବ୍ୟବସ୍ଥା ଲାଗି ପର୍ଯ୍ୟଟକମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ଏ ସଂକ୍ରାନ୍ତରେ ପରଜଙ୍ଗର ଲିମାଶ୍ରୀ ପରିଡ଼ା କୁହନ୍ତି, ବଣଭୋଜି କରିବା ଲାଗି ଦଦରାଘାଟିର ପରିବେଶ ବେଶ୍‌ ଭଲ। ତେବେ ପିଇବା ପାଣି ପାଇଁ ନଳକୂପ କି ଶୌଚାଳୟ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।