ଦାରିଙ୍ଗବାଡି, ୭।୬ (ଅରୁଣ ସାହୁ)-ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡିର ସମସ୍ତ ରାସ୍ତା ତଥା ରାଜପଥ ଏବଂ ପୂର୍ତ୍ତ ବିଭାଗର ରାସ୍ତା ସଂକୁଚିତ ହେବାରେ ଲାଗିଛି। ବଜାର ମଧ୍ୟରେ ଉଠାଦୋକାନୀଙ୍କ ଭିଡ଼ ତ ଆଉ କିଛି ସ୍ଥାନରେ ଦୋକାନଗୁଡିକ ପାଇଁ ଗାଡିମୋଟରର ଭିଡ଼ ଯୋଗୁ ରାସ୍ତା ସଂକୁଚିତ ହେଉଥିବା ଜଣାପଡିଛି।
ପ୍ରକାଶ ଯେ, ଦାରିଙ୍ଗବାଡିର ପ୍ରମୁଖ ଗହଳିସ୍ଥାନ ହେଉଛି ଚାରିଛକ ଅଞ୍ଚଳ। ସେଠାରୁ ବସ ଷ୍ଟାଣ୍ଡ, ବ୍ଲକ, ବଜାର ଆଦି ଯିବାକୁ ଚାରୋଟି ରାସ୍ତା ରହିଛି। ତେବେ ଚାରିଛକରୁ ବଜାର ଓ ବ୍ଲକ ଯିବା ରାସ୍ତାରେ ଗାଡିମୋଟର ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେବାରେ ଲାଗିଛି।
ଚାରିଛକରୁ ବ୍ଲକ ଦେଇ ପର୍ତ୍ତମାହା ପଞ୍ଚାୟତ ଦେଇ କୋଟଗଡ ବ୍ଲକ ପକାରୀ ପଞ୍ଚାୟତକୁ ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପ୍ରସାରଣ କରାଯାଉଛି। ମୋଟ ୨୪.୬୬୩କିମି ରାସ୍ତା ସମ୍ପ୍ରସାରଣ ପାଇଁ ମୋଟ ୩୧.୭୩ କୋଟି ଟଙ୍କା ବିନିମୟରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାର ଓସାର ୩.୭୫ ମିଟର କରାଯାଉଛି। କେବଳ ଚାରି ଛକରୁ ବ୍ଲକ ରୋଡ଼ର ଗୋଟିଏ କିମି ରାସ୍ତା ୫.୫୦ ମିଟର ଓସାର କରାଯିବାକୁ ରହିଛି। କିନ୍ତୁ ବ୍ଲକ ରୋଡ଼ରେ ଡିମାରକେସନ କରାଯିବା ପରେ ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯିବ ବୋଲି ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ୍ତ କେଶରୀ ସ୍ବାଇଁ କହିଛନ୍ତ। କେବଳ ବ୍ଲକ ରୋଡ଼ ଏବଂ ପର୍ତ୍ତମାହା ଗ୍ରାମରେ ଏହି ରାସ୍ତା ସମ୍ପ୍ରସାରଣ ହେବାକୁ ରହିଥିବାବେଳେ ଏହି ଦୁଇଟି ସ୍ଥାନରେ ଡିମାରକେସନ ଓ ଉଛେଦ କରାଇବାରେ ବିଳମ୍ବ ହେଉଥିବା ବେଳେ ପର୍ତ୍ତମାହାର ଡିମାରକେସନ ସରିଛି। ଆସନ୍ତା ସପ୍ତାହରେ ବ୍ଲକ ରୋଡ଼କୁ ଡିମାରକେସନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ସ୍ବାଇଁ କହିଛନ୍ତି। ବ୍ଲକ ରୋଡ଼ର ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


